ନୂଆଦିଲ୍ଲୀ:ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଚାପ ଓ ଭୟରୁ ମୁକ୍ତ କରିବା ପାଇଁ ପ୍ରୟାସ କରୁଛନ୍ତି କେନ୍ଦ୍ର । ଏହି ଉଦ୍ଦେଶ୍ୟ ସହ ଭିନ୍ନ ଏକ ନିୟମ ମଧ୍ୟ କାର୍ଯ୍ୟକାରୀ କରିଛନ୍ତି । ଏବେ ୧୦ମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବର୍ଷରେ ଦୁଇଥର ପରୀକ୍ଷା ଦେବାକୁ ସୁଯୋଗ ମିଳିବ । ବର୍ଷରେ ଦୁଇ ଥର ପରୀକ୍ଷା ଅନୁଷ୍ଠିତ ହେବ । ହେଲେ ବର୍ଷକରେ ଥରେ କିମ୍ବା ଦୁଇଥର ପରୀକ୍ଷା ଦେବାର ବିକଳ୍ପ ଚୟନ କରିବା ପାଇଁ ପିଲାମାନେ ସୁବିଧା ପାଇବେ । ଏନେଇ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଜାତୀୟ ସମ୍ବାଦ ସରବରାହ ସଂସ୍ଥା ‘ପିଟିଆଇ’କୁ ଦେଇଥିବା ପ୍ରତିକ୍ରିୟାରେ ଧର୍ମେନ୍ଦ୍ର କହିଛନ୍ତି,‘‘ଏବେ ୧୦ମ ଓ ଦ୍ବାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଜେଇଇ ପରୀକ୍ଷା ଢାଞ୍ଚାରେ ବର୍ଷରେ ଦୁଇ ଥର ପରୀକ୍ଷା ଦେବାର ସୁଯୋଗ ପାଇବେ । ସେମାନେ ଚାହିଁଲେ ଥରେ କିମ୍ବା ଦୁଇଥର ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ । ସେହିପରି ସେମାନେ ଦୁଇଟି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ସର୍ବାଧିକ ସ୍କୋରକୁ ଚୟନ କରିପାରିବାର ମଧ୍ୟ ସୁବିଧା ପାଇେପାରିବେ । ଏପରି ନିଷ୍ପତ୍ତି ନେବା ପଛରେ ପିଲାଙ୍କ ଠାରେ ପରୀକ୍ଷାର ଭୟ ଓ ପାଠପଢାର ଚାପ ହ୍ରାସ କରାଯିବାକୁ ଉଦ୍ଦେଶ୍ୟ ରହିଛି ।’’
ଶିକ୍ଷା ମନ୍ତ୍ରୀ ଆହୁରି ସ୍ପଷ୍ଟ କରିବାକୁ ଯାଇ କହିଛନ୍ତି, ‘‘ଯଦି ପ୍ରଥମ ପର୍ଯ୍ୟାୟ ପରୀକ୍ଷାରେ ସେମାନେ ଅଂଶଗ୍ରହଣ କରିବା ପରେ ମିଳିଥିବା ମାର୍କରେ ସନ୍ତୋଷ ପ୍ରକାଶ କରନ୍ତି, ତେବେ ସେମାନେ ଦ୍ବିତୀୟ ପର୍ଯ୍ୟାୟରେ ପରୀକ୍ଷାରେ ଅଂଶଗ୍ରହଣ କରିବାରୁ ବିରତ ରହିପାରନ୍ତି । ଅନ୍ୟପଟେ ସେମାନେ ଦୁଇଟି ପର୍ଯ୍ୟାୟରେ ପରୀକ୍ଷାରେ ଅଂଶଗ୍ରହଣ କରିବା ପରେ ସର୍ବାଧିକ ମାର୍କକୁ ଚୟନ କରାଯିବ । ଏହି ବିକଳ୍ପ ମିଳିବା ପରେ ସେମାନେ ଚାପମୁକ୍ତ ହୋଇପାରିବେ ଓ ପରୀକ୍ଷା ପ୍ରତି ସେମାନଙ୍କ ଭୟ ମଧ୍ୟ ହ୍ରାସ ପାଇବ । ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଗତମାସ (ଅଗଷ୍ଟ)ରେ ନ୍ୟୁ କରିକୁଲମ ଫ୍ରେମଓ୍ବାର୍କ (NCF) ଘୋଷଣା କରିଛି ।’’