ନୂଆଦିଲ୍ଲୀ: ଅନୁଚ୍ଛେଦ ୩୭୦ ରଦ୍ଦକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ମାମଲାକୁ ତାଲିକା ଭୁକ୍ତ କରିବେ ସୁପ୍ରିମକୋର୍ଟ । ଦଶହରା ଛୁଟି ପରେ ଏହି ମାମଲାକୁ ତାଲିକାଭୁକ୍ତ କରାଯିବା ନେଇ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି । ଅନୁଚ୍ଛେଦ ୩୭୦ ମାଧ୍ୟମରେ ଜାମ୍ମୁ ଓ କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିଥିଲା (plea against revocation of Article 37O) । ତେବେ ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଜାମ୍ମୁ କାଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ରଦ୍ଦ କରିଥିଲେ କେନ୍ଦ୍ର ସରକାର ।
ତେବେ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବାକୁ ବିରୋଧ କରି ସୁପ୍ରିମକୋର୍ଟରେ ଯାଚିକା ଦାଖଲ ହୋଇଥିଲା । ଏହି ମାମଲା ଲଢ଼ୁଥିବା ଓକିଲ ଜଷ୍ଟିସ୍ ଉଦୟ ଉମେଶ ଲଳିତ ଖଣ୍ଡପୀଠଙ୍କ ସମ୍ମୁଖରେ ଏହି ମାମଲାର ଶୀଘ୍ର ଶୁଣାଣି କରିବାକୁ ନିବେଦନ କରିଥିଲେ । ତେବେ ଦଶହରା ପରେ ଏହି ମାମଲାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ।
ଏହା ବି ପଢ଼ନ୍ତୁଧାରା ୩୭୦ ପୁନଃ ଲାଗୁ ହୋଇପାରିବ ନାହିଁ: ଗୁଲାମ ନବୀ ଆଜାଦ
୨୦୧୯ରେ ଜାମ୍ମୁ ଓ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ଅନୁଚ୍ଛେଦ ୩୫-A ରଦ୍ଦ କରି ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତିତ କରିଥିଲେ କେନ୍ଦ୍ର ସରକାର । ଏହାକୁ ଅସମ୍ବିଧାନିକ ଦର୍ଶାଇ ଆବେଦନକାରୀ ସୁପ୍ରିମକୋର୍ଟରେ ମାମଲା ଦାଖଲ କରିଥିଲେ । ଏହି ମାମଲାରେ ଶୁଣାଣି ମଧ୍ୟ ଆରମ୍ଭ ହୋଇଥିଲା । ତେବେ କୋରୋନା ସଂକ୍ରମଣ ଯୋଗୁଁ ୨୦୨୦ ମାର୍ଚ୍ଚ ୨ ତାରିଖରୁ ଏହି ମାମଲାରେ ଆଉ ଶୁଣାଣି ହୋଇପାରିନି । କାରଣ ମହାମାରୀ ସମୟରେ ଭର୍ଚ୍ଚୁଆଲ ଶୁଣାଣି ଆରମ୍ଭ ହୋଇଥିଲା ।
ନ୍ୟାସନାଲ କଂଗ୍ରେସ୍ କନ୍ଫରେନ୍ସ ସାଂସଦ ଅବର ଲୋନ ହସନୈନ୍ ମସୁଦୀ, ଜମ୍ମୁ କାଶ୍ମୀର ପିପୁଲ କନଫରେନ୍ସର ପ୍ରମୁଖ ନେତା ସଜ୍ଜଦ ଲୋନ୍, ଶୋହଲା ରଶିଦ, ଆଡଭୋକେଟ ଏମ୍ଏଲ୍ ବର୍ମା ଓ ଶାକିର ଶବ୍ବୀର ପ୍ରମୁଖ ଅନୁଚ୍ଛେଦ ୩୭୦ ରଦ୍ଦକୁ ଚ୍ୟାଲେଞ୍ଜ୍ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅନୁଚ୍ଛେଦ ୩୭୦ ଜାମ୍ମୁ ଓ କାଶ୍ମୀରକୁ ଭାରତ ସହ ଏକୀକରଣ କରିବାକୁ ଅନୁମତି ଦେଉନାହିଁ କହିଥିଲେ କେନ୍ଦ୍ର ସରକାର ।
ଦାଖଲ ହୋଇଥିବା ମାମଲାର ଶୁଣାଣି ପାଇଁ ପୁନଃ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଗଠନ ହେବ । କାରଣ ପୂର୍ବରୁ ଖଣ୍ଡପୀଠରେ ଥିବା ପ୍ରଧାନ ବିଚାରପତି ଏନ୍ଭି ରମଣା ଓ ବିଚାରପତି ସୁବାସ ରେଡ୍ଡି ଅବସର ନେଇ ସାରିଛନ୍ତି । ଏହା ପୂର୍ବରୁ ଗଠନ ହୋଇଥିବା ୫ ଜଣିଆ ଖଣ୍ଡପୀଠର ଉଭୟ ସଦସ୍ୟ ରହିଥିଲେ ।