ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂ ଠାକୁର (Youth Affairs and Sports Anurag Singh Thakur ) ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡା ( Commonwealth Games 2022) ପ୍ରତିଯୋଗିତା ପାଇଁ ଭାରତର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଗୁରୁବାର ଦିନ ମିଶନ ଅଲିମ୍ପିକ୍ସ ସେଲ (Mission Olympic Cell)ର ବୈଠକରେ ସେ ଏହି ସମୀକ୍ଷା କରିଥିଲେ । ଆସନ୍ତା ରାଜ୍ୟଗୋଷ୍ଠୀ କ୍ରୀଡାରେ ୨୧୫ ଜଣ ଭାରତୀୟ କ୍ରୀଡାବିତ ଅଂଶଗ୍ରହଣ କରିବେ ।
ଏମଓସି ବୈଠକରେ ପୂର୍ବତନ ଲଙ୍ଗ ଜମ୍ପର ଅଞ୍ଜୁ ବବି ଜର୍ଜ, ପୂର୍ବତନ ହକି ଖେଳାଳୀ ବୀରେନ ରସକିନା, ପୂର୍ବତନ ଟେବୁଲ ଟେନିସ ଖେଳାଳୀ ମୋନାଲିସା ବରୁଆ, ପୂର୍ବତନ କୁସ୍ତିଯୋଦ୍ଧା ଯୋଗେଶ୍ବର ଦତ୍ତ, ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳୀ ତୃପ୍ତି ମୁରଗୁଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରସ୍ତୁତି ସମୀକ୍ଷା କରିବା ସମୟରେ ମନ୍ତ୍ରୀ ଠାକୁର କହିଥିଲେ ‘କ୍ରୀଡାବିତମାନଙ୍କର ପ୍ରସ୍ତୁତି ଖୁବ ଭଲ ଭାବେ ଜାରି ରହିଛି । ଅଲିମ୍ପିକ୍ସ ପରେ ପ୍ରଶିକ୍ଷଣ ଏବଂ ପ୍ରତିଯୋଗିତାର ସ୍ତର ବୃଦ୍ଧି ପାଇବା ଖୁସିର ବିଷୟ । ଅଲିମ୍ପିକ୍ସ ଓ ପାରାଅଲିମ୍ପିକ୍ସର ସଫଳତାକୁ ଆମେ ବଜାୟ ରଖିବୁ ବୋଲି ଆଶା କରିଛନ୍ତି ।
ସମୀକ୍ଷା ସମୟରେ, ଭାରତର ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଟୋକିଓ ଅଲିମ୍ପିକ୍ସ ୨୦୨୦ ପରେ କ୍ରୀଡାବିତମାନଙ୍କୁ ଜାତୀୟ ଶିବିରରେ ପ୍ରଶିକ୍ଷଣ ସମେତ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ଦିଆଯାଉଛି । ସେମାନଙ୍କୁ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ପ୍ରଶିକ୍ଷଣର ସୁଯୋଗ ମିଳୁଛି । ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଯେଉଁ ବିଭାଗରେ ପ୍ରତିଯୋଗିତା କରିବ ସେସବୁ କ୍ରୀଡା ବିଭାଗରେ ଅଭିଜ୍ଞତା ହାସଲ କରିବା ପାଇଁ ସରକାର ୧୧୧ ଟି କ୍ରୀଡା ଗସ୍ତର ବ୍ୟବସ୍ଥା କରିସାରିଛନ୍ତି ।
ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଅଲିମ୍ପିକ୍ସ ପରେ ବହୁ କ୍ରୀଡାବିତ ସେମାନଙ୍କର ପ୍ରଶିକ୍ଷଣ ଯୋଜନା ଅନୁଯାୟୀ, ସରକାରୀ ଖର୍ଚ୍ଚରେ ବିଦେଶରେ ପ୍ରଶିକ୍ଷଣ ନେଇଛନ୍ତି । ଅଲିମ୍ପିକ୍ସ କ୍ରୀଡା ପରେ ପ୍ରଶିକ୍ଷଣ ନେବା ଲାଗି ଜାଭେଲିନ ଫିଙ୍ଗାଳୀ ନୀରଜ ଚୋପ୍ରା ଆମେରିକାର ଚୁଲା ଭିସ୍ତା, ତୁର୍କୀର ଆଣ୍ଟାଲ୍ୟା ଏବଂ ଫିନଲାଣ୍ଡ ଗସ୍ତ କରିସାରିଛନ୍ତି । ସେହିପରି ଭାରୋତ୍ତୋଳକାରୀ ମୀରା ବାଇ ଚାନୁ ଆମେରିକାର ସେଣ୍ଟ ଲୁଇସ ଗସ୍ତ କରି ବିଶେଷଜ୍ଞ ପ୍ରଶିକ୍ଷକ ଡକ୍ଟର ଆରୋନ ହୋର୍ସିଗଙ୍କ ଠାରୁ ପ୍ରଶିକ୍ଷଣ ନେଇଛନ୍ତି । ଷ୍ଟିପଲଚେଜର ଅବିନାଶ ସାବଲେ ଏପ୍ରିଲ ୨୦୨୨ରେ ଆମେରିକାର କଲରାଡୋ ସ୍ପ୍ରିଙ୍ଗ ଗସ୍ତ କରି ପ୍ରଶିକ୍ଷକ ସ୍କଟ ସିମୋନ୍ସଙ୍କ ଠାରୁ ପ୍ରଶିକ୍ଷଣ ନେଇଛନ୍ତି । ସାଇକେଲ ଚାଳନା ଦଳ ତିନି ମାସ ପାଇଁ ସ୍ଲୋଭେନିଆ ଓ ପର୍ତ୍ତୁଗାଲରେ ପ୍ରଶିକ୍ଷଣ ନେଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ପୂର୍ବରୁ ଟେବୁଲ ଟେନିସ ଏବଂ ବକ୍ସିଂ ଖେଳାଳୀଙ୍କ ଅଭିଜ୍ଞତା ଅର୍ଜନ ପାଇଁ ପର୍ତ୍ତୁଗାଲ ଏବଂ ଆୟାର୍ଲାଣ୍ଡ ଗସ୍ତର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।