ଗାନ୍ଧୀନଗର:ମୃତ୍ୟୁ ସତ୍ୟ । ହେଲେ ମୃତ୍ୟୁ ଯେବେ ଅବେଳରେ ଅକାଳରେ ଆସେ ତାହା ଦୁଃଖ ଦିଏ । ସେମିତି କିଛି ଦୁଃଖଦ ଘଟଣା ଗୁଜୁରାଟର ରାଜକୋଟ ଅଞ୍ଚଳରେ ଘଟିଛି । ଜଣେ କମ ବୟସର ଯୁବକ କ୍ରିକେଟ ଖେଳୁଥିବା ସମୟରେ ଦୁନିଆରୁ ବିଦାୟ ନେଇଛନ୍ତି । କ୍ରିକେଟ ଖେଳୁଥିବା ସମୟରେ ହୃଦଘାତ କାରଣରୁ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି । ଗତ 20 ଦିନରେ ଏହା ତୃତୀୟ ଘଟଣା । ପୁଅର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ରାଜ୍ୟରେ କମ ବୟସରେ ହୃଦଘାତରେ ଅନେକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ରାଜକୋଟ ମାଧବରାୟ ସିନ୍ଧିୟା କ୍ରିକେଟ ଗ୍ରାଉଣ୍ଡରେ ଇଣ୍ଟର ପ୍ରେସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ବିଭିନ୍ନ ଦଳ ଗ୍ରାଉଣ୍ଡରେ ମ୍ୟାଚ ଖେଳୁଥିଲେ । ମ୍ୟାଚରେ ଜଣେ 31 ବର୍ଷୀୟ ଯୁବକ ହାର୍ଦ୍ଦିକ ଚୌହାନ ମଧ୍ୟ ଖେଳୁଥିଲେ । 18ବଲରେ 30ରନ କରିଥିଲେ । ଏହାପରେ ସେ ଆଉଟ ହୋଇଯାଇଥିଲେ । ଏହା ପରେ ଅଚାନକ ତାଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ । ସେ ଅଚେତ ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ଗତ 20 ଦିନରେ ରାଜକୋଟରେ କ୍ରିକେଟ ଖେଳୁଥିବା ସମୟରେ ଯୁବକଙ୍କ ମୃତ୍ୟୁର ଏହା ତୃତୀୟ ଘଟଣା । ଏହା ପୂର୍ବରୁ ଶାସ୍ତ୍ରୀ ଗ୍ରାଉଣ୍ଡରେ କ୍ରିକେଟ ଖେଳୁଥିବା ସମୟରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଗାନ୍ଧୀଗ୍ରାମ ଭାରତୀନଗରରେ ରହୁଥିବା ଜଣେ ଯୁବକଙ୍କର କ୍ରିକେଟ ଖେଳୁଥିବା ସମୟରେ ହୃଦଘାତରେ ମୃତ୍ୟୁ ହୋଇଥିଲା । ଏହାପରେ ପୁଣି ସିନ୍ଧିୟା କ୍ରିକେଟ ଗ୍ରାଉଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ଯୁବକ ରାଜକୋଟରେ ଏକ ଖବକାଗଜ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ହାର୍ଦ୍ଦିକ ଚୌହାନଙ୍କର ମୃତ୍ୟୁରେ ସ୍ଥାନୀୟ ମିଡିଆ ଜଗତରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।