ଥିରୁଅନନ୍ତପୁରମ: ଭଗବାନ କେତେବେଳେ କେଉଁ ରୂପରେ ଆସି ଅସହାୟଙ୍କୁ ସାହାଯ୍ୟ କରିବେ ତାହା କାହାକୁ ବି ଜଣାନଥାଏ । କଥାରେ ଅଛି ସହାୟତା ପାଇଁ ଲୋଡାନଥାଏ ରକ୍ତର ସମ୍ପର୍କ । କେବଳ ଯେ ରକ୍ତ ସମ୍ପର୍କ ଥିଲେ ଜଣେ ସହାୟତାର ହାତ ବଢାଏ ତାହା ନୁହେଁ ବରଂ ଜଣେ ସହୃଦୟ ବ୍ୟକ୍ତି ମଧ୍ୟ ଅସହାୟକୁ ହୃଦୟ ଖୋଲି ସାହାଯ୍ୟ କରିଥାନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କେରଳରୁ । ଜଣେ ୧୬ ମାସର ଶିଶୁ ନିର୍ବାନ ବିରଳ ରୋଗରୁ ଚିକିତ୍ସା କରି ରକ୍ଷା କରିବା ପାଇଁ ଜଣେ ବ୍ୟକ୍ତି ୧୧ କୋଟି ଟଙ୍କା ଦାନ କରିଛନ୍ତି । ତେବେ ଟଙ୍କା ସାହାଯ୍ୟ କରିଥିବା ବ୍ୟକ୍ତି ଜଣକ ନିଜ ନାମକୁ ଗୋପନରେ ରଖିଛନ୍ତି ।
ସୂଚନାଅନୁସାରେ, କେରଳର ୧୬ ମାସିର ଶିଶୁ ନିର୍ବାନ ମେରୁଦଣ୍ଡ ମାଂସପେଶୀ ଜନିତ ଏକ ବିରଳ ରୋଗରେ ପୀଡିତ ହୋଇଛି । ଏହି ରୋଗର ଏକ ଇଞ୍ଜେକ୍ସନ ରହିଛି ଯାହାର ମୂଲ୍ୟ ସାଢେ ୧୭ କୋଟି ଟଙ୍କା ଅଟେ । ତେବେ ଏତେ ପରିମାଣର ଟଙ୍କା ଦେବା ପାଇଁ ଅସମର୍ଥ ହେବାରୁ ସେମାନେ ସୋସିଆଲ ମିଡିଆରେ ସାହାଯ୍ୟ ପାଇଁ ଗୁହାରି କରିଥିଲେ । ତେବେ ଚାରିଆଡୁ ସହଯୋଗର ହାତ ବଢିଥିବା ବେଳେ ଜଣେ ବ୍ୟକ୍ତି ନିର୍ବାନଙ୍କ ଚିକିତ୍ସା ପାଇଁ ୧୧ କୋଟି ଟଙ୍କା ପଠାଇଥିଲେ । ତେବେ ସବୁଠାରୁ ବଡ କଥା ହେଲା ଏତେ ଟଙ୍କା ସହଯୋଗ କରିଥିବା ବ୍ୟକ୍ତି ଜଣକ କିନ୍ତୁ ନିଜର ନାମକୁ ଗୋପନ ରଖିଛନ୍ତି । ଲୋକେ ୧ଟଙ୍କା ଦେଇ ନିଜର ପରିଚୟ ଦେଉଥିବା ବେଳେ ଏଠାରେ ଜଣେ ବ୍ୟକ୍ତି ଏତେ ପରିମାଣର ଟଙ୍କା ଦେଇ ମଧ୍ୟ ନିଜ ପରିଚୟ ଗୋପନ ରଖି ମହାନତାର ପରିଚୟ ଦେଇଛନ୍ତି । କ୍ରାଉଡ ଫଣ୍ଡିଙ୍ଗ ଜରିଆରେ ନିର୍ବାନଙ୍କ ପରିବାରକୁ ଏତେ ଟଙ୍କା ବିଦେଶରୁ ଆସିଥିବା ଜଣାପଡିଛି । ତେବେ ଟଙ୍କାକୁ ଦେଖି ନିର୍ବାନଙ୍କ ପରିବାରକୁ ଟିକେ ଶାନ୍ତି ମିଳିଛି ।
ଖବରଅନୁସାରେ, ସେନା କର୍ମଚାରୀ ସାରଙ୍ଗ ଏବଂ ଅତିଥିଙ୍କ ପୁତ୍ର ହେଉଛନ୍ତି ନିର୍ବାନ । ତେବେ ଜନ୍ମ ହେବାର ୧୫ ମାସ ପରେ ମଧ୍ୟ ଚାଲିବାରେ ଅସମର୍ଥ ହେବାରୁ ଡାକ୍ତରଙ୍କୁ ପରାମର୍ଶ କରିଥିଲେ । ତେବେ ପରୀକ୍ଷା କରିବା ଦ୍ବାରା ସେ ଏସଏମଏ-୨(ମେରୁଦଣ୍ଡ ମାଂସପେଶୀ) ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ବର୍ତ୍ତମାନ ନିର୍ବାନଙ୍କ ବୟସ ୧୬ ମାସ । ତେବେ ନିର୍ବାନଙ୍କୁ ଭଲ କରିବାକୁ ହେଲେ ତାଙ୍କୁ ୨ ବର୍ଷ ହେବା ଭିତରେ ଏହି ରୋଗର ନିରାକରଣ ଇଞ୍ଜେକସନ ଦେବାକୁ କହିଥିଲେ ।