ହାଇଦ୍ରାବାଦ:ଓଡିଶା ଭଳି ପୁଣି ଏକ ବଡ ଧରଣର ଟ୍ରେନ ଦୁର୍ଘଟଣା ଘଟିବ। ହାଇଦ୍ରାବାଦ-ଦିଲ୍ଲୀ ମାର୍ଗରେ ଏପରି ଦୁର୍ଘଟଣା ଘଟିବା ନେଇ ଦକ୍ଷିଣ କେନ୍ଦ୍ରୀୟ ରେଳବାଇକୁ ଏକ ଧମକପୂର୍ଣ୍ଣ ଚିଠି ଆସିଛି । ଗତ ସପ୍ତାହରେ ସିଏସଆର ଡିଭିଜନାଲ ମ୍ୟାନେଜରଙ୍କୁ ଏହି ଧମକପୂର୍ଣ୍ଣ ଚିଠି ମିଳିଥିଲା । ରେଳ ବିଭାଗ ଅଧିକାରୀମାନେ ଏନେଇ ହାଇଦ୍ରାବାଦ ପୋଲିସକୁ ସୂଚନା ଦେଇଛନ୍ତି ।
ପୋଲିସ ଡେପୁଟି କମିଶନର ଚନ୍ଦନା ଦୀପ୍ତି କହିଛନ୍ତି ଯେ, ହାଇଦ୍ରାବାଦ-ଦିଲ୍ଲୀ ମାର୍ଗରେ ଟ୍ରେନ ଦୁର୍ଘଟଣା ନେଇ ଏକ ଧମକପୂର୍ଣ୍ଣ ଚିଠି ଆସିଥିବା ତିନି ଦିନ ପୂର୍ବରୁ ଆମ ପାଖକୁ ସୂଚନା ଆସିଥିଲା। ତେବେ କେଉଁ ବ୍ୟକ୍ତି ଏହି ଚିଠି ପଠାଇନ୍ତି ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏପରି ଧମକପୂର୍ଣ୍ଣ ଚିଠି ଆସିବା ପରେ ରେଳ ବିଭାଗ ପୁରା ସଜାଗ ହୋଇଯାଇଛି। ସୋମବାର ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ଜିଏମ ଅରୁଣ କୁମାର ଜେନା ସମସ୍ତ ବିଭାଗର ମୁଖ୍ୟଙ୍କ ସହ ସୁରକ୍ଷା ସମୀକ୍ଷା ନେଇ ବୈଠକ କରିଥିଲେ। ସିକନ୍ଦରାବାଦ, ହାଇଦ୍ରାବାଦ, ବିଜୟୱାଡା, ଗୁଣ୍ଟକାଲ, ଗୁଣ୍ଟୁର ଏବଂ ନନ୍ଦେଡ ଡିଭିଜନର ମ୍ୟାନେଜର ଭିଡିଓ କନଫରେସିଂ ଯୋଗେ ବୈଠକରେ ସାମିଲ ହୋଇଥିଲେ। ସୁରକ୍ଷା ସମ୍ବନ୍ଧରେ ବୈଠକରେ ଆଲୋଚନା ହୋଇଥିଲା।
ଜୁନ 2 ତାରିଖ ଶନିବାର ସନ୍ଧ୍ୟା ସମୟରେ ବାଲେଶ୍ବର ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଥିଲା । ହାୱାଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନକୁ ଲୁପ ଲାଇନରେ ଧକ୍କା ଦେଇଥିଲା । ଏହି ସମୟରେ ଟ୍ରାକରେ ପଡିଥିବା କରମଣ୍ଡଳ ବଗିରେ ପିଟି ହୋଇଥିଲା ଯଶୋବନ୍ତପୁର ଏକ୍ସପ୍ରେସ । ଆଉ ଏହାପରେ ରକ୍ତରେ ଭିଜିଥିଲା ବାହାନାଗା। ଆର୍ତ୍ତନାଦ ଚିତ୍କାରରେ ଫାଟି ପଡିଥିଲା ଅଞ୍ଚଳ । ଏହି ଦୁର୍ଘଟଣାରେ 293ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 1000ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ।
ଏହା ମଧ୍ୟ ପଢନ୍ତୁ-Train Tragedy: ବାହାନଗା ବେଦନାକୁ ମାସେ, କଳାରାତିରେ ମୃତ୍ୟୁ ନେଇ ଆସିଥିଲା କରମଣ୍ଡଳ
ତେବେ ଏତେ ବଡ ଦୁର୍ଘଟଣା କେମିତି ଘଟିଲା ସେନେଇ ତଦନ୍ତ କରୁଛି ସିବିଆଇ। ଦୁର୍ଘଟଣାର ଏକ ମାସ ପରେ ଦକ୍ଷିଣ-ପୂର୍ବ ରେଲୱର ମହାପ୍ରବନ୍ଧକ ବା ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ବିଦା କରାଯାଇଛି । ଅନ୍ୟପଟେ ନିରାପତ୍ତା କମିଶନ ରେଲୱେ ବୋର୍ଡ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଛି । ସିଆରଏସ ରିପୋର୍ଟକୁ ସାର୍ବଜନିନ କରିବ ନାହିଁ ବୋଲି ଭାରତୀୟ ରେଳ ବିଭାଗ କହିଛି । ସିବିଆଇ ତଦନ୍ତ ଜାରି ଥିବାରୁ ରିପୋର୍ଟ ସାର୍ବଜନିନ ନକରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି । CRSରେ ମାନବୀୟ ତ୍ରୁଟି ଯୋଗଁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।