ଲକ୍ଷ୍ନୌ:ଟିଭିରେ କାର୍ଟୁନ୍ ଦେଖୁଥିବା ଦୁଇ ନାବାଳକ ଭାଇଙ୍କ ମଧ୍ୟରେ ହେଲା ଝଗଡା । ବାରଣ କଲା ମା’ । ଏଥିପାଇଁ ନାବାଳକ ପୁଅକୁ ଗୋଟିଏ ଚାପୁଡା ବି ପକାଇଥିଲେ । ଏଥିରେ କ୍ରୋଧିତ ହୋଇ ନାବାଳକଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଉପକଣ୍ଠରେ ଏପରି ଏକ ଅଘଟଣ ଘଟିଥିବା ନେଇ ସୂଚନା ମିଳିଛି । ଆତ୍ମହତ୍ୟା କରିଥିବା ନାବାଳକର ବୟସ 15ବର୍ଷ ହେବା ନେଇ ପ୍ରାଥମିକ ତଦନ୍ତ ପରେ ପୋଲିସ ସୂଚନା ଦେଇଛି ।
ପୋଲିସ ସୂଚନା ଅନୁସାରେ, ଲକ୍ଷ୍ନୌର ସାଦତଗଞ୍ଜ ପୋଲିସ ଷ୍ଟେସନ ଅଧୀନରେ ଏହି ପରିବାର ରହୁଥିଲେ । ସ୍ୱାମୀ ରାଜେଶ ତିୱାରୀଙ୍କ ମୃତ୍ୟୁ ପରେ ପତ୍ନୀ ରୁମିକା ତାଙ୍କ ଦୁଇ ପୁଅ ଆୟୁଷ୍ମାନ ଏବଂ ଅଶୁଂମାନଙ୍କ ସହ ଏହି ଅଞ୍ଚଳରେ ରହି ଆସୁଥିଲେ । ଗତକାଲି ରାତିରେ ମା ରୁମିକା କାମ କରୁଥିଲା ବେଳେ ଏବଂ ଦୁଇ ପୁଅ ମୋବାଇଲ ଧରିଥିବା ସହ ରୁମରେ ଟିଭି ଦେଖୁଥିଲେ। କାର୍ଟୁୁନ ଦେଖିବାକୁ ନେଇ ଦୁଇ ନାବାଳକ ଭାଇଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଏହାପରେ ମା’ ରୁମିକା ଆୟୁସ୍ମାନକୁ ରାଗିଯାଇ ମାଡ ମାରିଥିଲେ । ତେବେ ଏଥିରେ ସେ ଉତ୍ୟକ୍ତ ହୋଇ ସେ ଏକ କଠୋରୀରେ ନିଜକୁ ବନ୍ଦ କରିଦେଇଥିଲା । ପରେ ନାବାଳକର ମୃତଦେହ ଉଦ୍ଧାର ହୋଇଥିଲା ।