ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ନେତା ଅନିଲ ଆଣ୍ଟୋନି ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କେରଳ ବିଜେପି ମୁଖ୍ୟ କେ. ସୁରେନ୍ଦ୍ରନ । ସେ କହିଛନ୍ତି କେବଳ ଅନିଲ ଆଣ୍ଟୋନି ନୁହେଁ, ଆଗକୁ ଅନେକ କଂଗ୍ରେସ ନେତା ବିଜେପିରେ ଯୋଗ ଦେବେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନତା ଏକେ ଆଣ୍ଟୋନିଙ୍କ ପୁଅ ଅନିଲଙ୍କୁ ଅନେକ କଂଗ୍ରେସ ନେତା ଅନୁସରଣ କରିବେ ବୋଲି କହିଛନ୍ତି ସୁରେନ୍ଦ୍ରନ ।
ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଓ ଭି. ମୁରଲୀଧରନ ଓ ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅନିଲ ବିଜେପିରେ ଯୋଗ ଦେଇଥିଲେ । ସେ ବିଜେପିରେ ସାମିଲ ହେବା ପରେ ତାଙ୍କୁ ନେଇ ଅନେକ ପ୍ରଶ୍ନ କରିଥିଲେ । ଅନିଲଙ୍କ ଏହି ନିଷ୍ପତ୍ତିକୁ ବାପା ତଥା କଂଗ୍ରେସ ଭେଟେରାନ ନେତା ଏକେ ଆଣ୍ଟୋନି ସହଜରେ ଗ୍ରହଣ କରିପାରିନଥିଲେ । ପୁଅର ନିଷ୍ପତ୍ତି ତାଙ୍କୁ ଆଘାତ ଦେଇଛି ବୋଲି ସେ କହିଥିଲେ । ଅନିଲ ଦଳରେ ଯୋଗ ଦେବା ପରେ ଦକ୍ଷିଣାଞ୍ଚଳ ରାଜ୍ୟରେ ବିଜେପିକୁ ଅଧିକ ସୁଦୃଢ ମିଳିଛି କି ଏବଂ ବିଜେପି ଖ୍ରୀଷ୍ଟିଆନ ଭୋଟ୍ ହାତେଇବାରେ ସଫଳ ହେବ କି ନାହିଁ ଗଣମାଧ୍ୟମ ପ୍ରତିନିଧିମାନେ କେରଳ ବିଜେପି ମୁଖ୍ୟଙ୍କୁ ପ୍ରଶ୍ନ କରିଥିଲେ ।
ଏହା ବି ପଢନ୍ତୁ- BJPରେ ଯୋଗ ଦେଲେ କଂଗ୍ରେସ ନେତା ଏକେ ଆଣ୍ଟୋନିଙ୍କ ପୁଅ ଅନିଲ
କେରଳ ବିଜେପି ମୁଖ୍ୟ ସୁରେନ୍ଦ୍ରନ ପ୍ରତିକ୍ରିୟା ଦେଇ କହିଛନ୍ତି, " ଏକେ ଆଣ୍ଟୋନି ଜଣେ ବରିଷ୍ଠ କଂଗ୍ରେସ ନେତା । ସେ ଦଳରେ ଏକ ଭଲ ସ୍ଥାନରେ ରହିଛନ୍ତି । ଆଜି ତାଙ୍କ ପୁଅ ବିଜେପିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ଆଗକୁ ଅନେକ କଂଗ୍ରେସ ନେତା ବିଜେପିରେ ଯୋଗ ଦେବେ । ବିଜେପିରେ ଯୋଗଦାନ କରୁଥିବା ଅନେକ ବିରୋଧୀ ଦଳ ନେତାଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅନିଲ ଆଣ୍ଟୋନି । ଏପରିକି ବିରୋଧୀ ଦଳର ଅନେକ ଉଚ୍ଚଶିକ୍ଷିତ ତଥା ଟାଣୁଆ ନେତା ବିଜେପିରେ ସାମିଲ ହେଉଛନ୍ତି । ଆମ ଦଳରେ ସାମିଲ ହେବା ଲାଗି ବିରୋଧୀ ଦଳର ନେତାମାନଙ୍କୁ ଆମେ ଅପିଲ କରୁଛୁ ।"
ଦକ୍ଷିଣାଞ୍ଚଳରେ ବିଜେପି ଭୋଟ ହାତେଇବାକୁ ନେଇ ସୁରେନ୍ଦ୍ରନ କହିଛନ୍ତି, "ପୂର୍ବ ନିର୍ବାଚନରେ କେରଳରେ ବିଜେପିକୁ ଅଧିକ ଭୋଟ ମିଳିନଥିଲା । ହେଲେ ଚଳିତ ଥର ଦଳ ଅଧିକ ଭୋଟ ହାତେଇବା ଲାଗି ଲକ୍ଷ୍ୟ ରଖିଛି । ରାଜ୍ୟରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିଶ୍ବାସ ରଖିଛନ୍ତି । ଆମେ ରାଜ୍ୟରେ ଅନେକ ଅଭିଯାନ ଆରମ୍ଭ କରିଛୁ । ଆସନ୍ତା ୯ ତାରିଖରେ 'ହାପି ଇଷ୍ଟର ଘର ଘର ଚଲୋ' ନାଁରେ ଏକ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହା ମାଧ୍ୟମରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ବିଜେପି ସହିତ ଯୋଡ଼ିବା ଲାଗି ଲକ୍ଷ୍ୟ ରଖାଯାଇଛି ।"