ଭୋପାଳ:ମାଆ ରକ୍ତରେ ହୋଲି ଖେଳିଲା ପୁଅ । ବାରମ୍ବାର ଗାଳିଗୁଲଜ କରୁଥିବାରୁ ମାଆକୁ ମୃତ୍ୟୁଶେଯରେ ଶୁଆଇଲା ପୁଅ । ମଧ୍ୟପ୍ରଦେଶ ଟିକାମଗଡ ଅଞ୍ଚଳରୁ ଏଭଳି ଛାତିଥରା ଘଟଣା ସାମ୍ନାକୁ ଆସିଛି । ଗତକାଲି(ମଙ୍ଗଳବାର) ଏଠାରେ ଜଣେ ୧୭ ବର୍ଷୀୟ ନାବାଳକ ନିଜ ମାଆକୁ ଗୁଳି କରି ହତ୍ୟା କରିଛି । ମୃତ ମହିଳା ହେଉଛନ୍ତି ୪୩ ବର୍ଷୀୟ ସପ୍ନା ରାଜକ । ସେ ବିଭିନ୍ନ ସମୟରେ ନିଜ ପୁଅକୁ ଗାଳି ଗୁଲଜ କରିବା ସହ ମାର୍ପିଟ୍ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ଅଭିଯୁକ୍ତ ନିଜ ବାପାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖିଛି ।
ସୂଚନା ମୁତାବକ, ଅଭିଯୁକ୍ତ ନାବାଳକର ବାପା ରମେଶ ରାଜକ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି । ହତ୍ୟାକାଣ୍ଡ ଘଟିବା ସମୟରେ ସେ ଘରେ ନଥିଲେ । ପୋଲିସର କହିବା ଅନୁଯାୟୀ, ନାବାଳକ ନିଜ ମାଆକୁ ଗୁଳି କରି ମାରିବା ପରେ ପୋଲିସକୁ ଫୋନ କରି ଜଣାଇଥିଲା ଏବଂ ସେହି ଠାରେ ହିଁ ବସିରହି ଅପେକ୍ଷା କରିଥିଲା । ପୋଲିସ ପହଞ୍ଚିବା ପରେ ତଳେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ସହ ପାଖରେ ଏକ ଚୌକି ଉପରେ ଅଭିଯୁକ୍ତ ଆରାମରେ ବସିଥିବା ଦେଖିବାକୁ ପାଇଥିଲା ।