ବେଙ୍ଗାଲୁରୁ: ଦଳିତ ବୋଲି ଦିନେ ଅଙ୍ଗନବାଡି କର୍ମୀଙ୍କୁ ଗାଁରୁ ତଡି ଦେଇଥିଲେ ଲୋକେ । ୫ ବର୍ଷ ପରେ ଆଜି ସେହି ଅଙ୍ଗନବାଡି ଦିଦି ସମାଜରେ ପାଲଟିଛନ୍ତି ଆଦର୍ଶ । ନିଜର ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ ସେ ଗୋଟିଏ ଛୋଟ ଅଙ୍ଗନବାଡି କେନ୍ଦ୍ରକୁ ମଡେଲ ହାଇକେଟ ସେଣ୍ଟରରେ ରୂପାନ୍ତରିତ କରିପାରିଛନ୍ତି । କୁନି କୁନି ପିଲାଙ୍କୁ ମାତୃଭାଷା ସହ ଇଂରାଜୀ ଶିକ୍ଷା ଦେଉଛନ୍ତି । ଯେଉଁଥିପାଇଁ ଅଭିଭାବକମାନେ ନିଜ ପିଲାଙ୍କୁ କନଭେଣ୍ଟ ସ୍କୁଲରେ ପାଠ ପଢାଇବେ ବଦଳରେ ତାଙ୍କ ଅଙ୍ଗନବାଡି କେନ୍ଦ୍ରକୁ ପଠାଉଛନ୍ତି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ଦାବନଗେରେ ଅଞ୍ଚଳରେ ।
ସୂଚନା ଅନୁଯାୟୀ, ୨୦୧୭ରେ ଲକ୍ଷ୍ମୀ ନାମକ ଅଙ୍ଗନବାଡି କର୍ମୀ ହଲେ ଚିକ୍କନାହଲ୍ଲି ଗାଁରେ (Hale Chikkanahalli village) କାର୍ଯ୍ୟରତ ଥିଲେ । କିନ୍ତୁ ସେ ଦଳିତ ସମ୍ପ୍ରଦାୟର ହୋଇଥିବା ଯୋଗୁଁ ଗାଁ ଲୋକେ ତାଙ୍କୁ ବାରଣ କରିଥିଲେ । ତାଙ୍କ ସହ ଖୁବ୍ ଖରାପ ଆଚରଣ କରୁଥିଲେ । ଏପରିକି ଗାଁ ଲୋକେ ଅଙ୍ଗନବାଡିରେ ତାଲା ଝୁଲାଇ ଦେଇଥିଲେ । ୩ ମାସ କାଳ ଗାଁର ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଥିଲା ଏବଂ ଲକ୍ଷ୍ମୀ ସବୁଦିନ ଏଠାରୁ ନିରାଶ ହୋଇ ଫେରି ଯାଉଥିଲେ । ଏଥିପାଇଁ ତାଙ୍କର ମାନସିକ ସ୍ଥିତି ମଧ୍ୟ ଦୋହଲି ଯାଇଥିଲା ।
ଗାଁ ଲୋକଙ୍କ ଏପରି ଆଚରଣ ତାଙ୍କୁ ଖୁବ୍ କଷ୍ଟ ଦେଉଥିଲା । ଏହିସବୁ କାରଣ ଯୋଗୁଁ ୨୦୧୭ରେ ଅଙ୍ଗନବାଡି ଦିଦିଙ୍କ ହଲେ ଚିକ୍କନାହଲ୍ଲି ଗାଁରୁ ଅନ୍ୟତ୍ର ବଦଳି ହୋଇଥିଲା । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ବାରା ଦାବନଗେରେର ଗୋଶାଳା ଅଙ୍ଗନବାଡି କେନ୍ଦ୍ରରେ ଲକ୍ଷ୍ମୀଙ୍କୁ ନିଯୁକ୍ତି କରାଯାଇଥିଲା । ତେବେ ଦଳିତ ଶ୍ରେଣୀର ହୋଇଥିବା ଯୋଗୁଁ ତାଙ୍କୁ ସହିବାକୁ ପଡିଥିବା ଅପମାନକୁ ସେ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ ।
ଏହାମଧ୍ୟ ପଢନ୍ତୁ: ଡାକ୍ତରଙ୍କ କମାଲ, ବିନା ଅସ୍ତ୍ରୋପଚାରରେ ବୟସ୍କ ବ୍ୟକ୍ତିଙ୍କ ହୃଦ ସମସ୍ୟା କଲେ ଦୂର
ଦୀର୍ଘ ୫ ବର୍ଷ ହେଲା ଲକ୍ଷ୍ମୀ ଦାବନଗେରେର ଗୋଶାଳା ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି । ଏହି ୫ ବର୍ଷରେ ସେ ଅଙ୍ଗନବାଡିର ବିକାଶ କରି ହାଇଟେକ ସେଣ୍ଟରରେ ରୂପାନ୍ତରିତ କରିପାରିଛନ୍ତି । ସେ ଏଠାରେ ପିଲାଙ୍କୁ କନ୍ନଡ ଏବଂ ଇଂରାଜୀ ଭାଷାରେ ପଢାଉଛନ୍ତି । ସେଥିପାଇଁ ସ୍ଥାନୀୟ ଅଭିଭାବକମାନେ ମଧ୍ୟ ନିଜ ପିଲାଙ୍କୁ ଅନ୍ୟତ୍ର ପଢାଇବା ଅପେକ୍ଷା ଏଠାକୁ ପଠାଇବାକୁ ଆଗ୍ରହୀ ହେଉଛନ୍ତି । ଦଳିତ ବୋଲି ଗାଁରୁ ବାହାରିଥିବା ଏହି ଅଙ୍ଗନବାଡି ଦିଦି ନିଜ ପରିଶ୍ରମ ବଳରେ ଏବେ ସମାଜରେ ଏକ ଦୃଷ୍ଟାନ୍ତ ପାଲଟିଛନ୍ତି । ମହିଳାଟିଏ ଚାହିଁଲେ ସବୁ ଅସାଧ୍ୟ ସାଧ୍ୟ କରିପାରିବ ବୋଲି ପ୍ରମାଣିତ କରିଦେଇଛନ୍ତି ଲକ୍ଷ୍ମୀ ।