ଅମରାବତୀ: ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି । ବହୁ ଆଇନଗତ ବାଧାବିଘ୍ନ ପରେ ରାଜ୍ୟରେ ୩ ରାଜଧାନୀ ସ୍ଥାପନ (Controversial 3-Capital Bill) ପ୍ରସ୍ତାବରୁ ଓହରି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ତିନି ରାଜଧାନୀ ବିଲ୍ ପ୍ରତ୍ୟାହାର କରି ନେବାକୁ ସୋମବାର ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ।
ରାଜଧାନୀ ବିକେନ୍ଦ୍ରୀକରଣ ରାଜ୍ୟ ପାଇଁ ଭଲ ହେବ ବୋଲି ଆଶା କରାଯାଉଥିଲା । ୨୦୨୦ରେ ଏ ନେଇ ବିଧାନସଭାରେ ବିଲ ଆଗତ ହୋଇଥିଲା । ମାତ୍ର ଏହାକୁ ଅନେକ ବିରୋଧ କରିଥିଲେ । ବିରୋଧୀ ଦଳ ସମେତ କୃଷକ ସଂଗଠନ ଏହାକୁ ବିରୋଧ କରିଥିଲେ । ଅମରାବତୀରେ ନୂଆ ରାଜଧାନୀ ପାଇଁ ଜମି ଦେଉଥିବା ଚାଷୀମାନେ ମଧ୍ୟ ନିଜର ଅସନ୍ତୋଷ ଜାହିର କରିଥିଲେ । ରାଜଧାନୀ ବିଲକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକାଧିକ ପିଟିସନ ଦାଏର କରିଥିଲେ । ଏ ନେଇ ଚଳିତ ମାସ ୧ରେ ଲକ୍ଷ ଲକ୍ଷ କୃଷକ ଅମରାବତୀରୁ ତିରୁପତିକୁ ୪୫ ଦିନିଆ ପଦଯାତ୍ରା କରି ରବିବାର ନେଲୋରରେ ପହଞ୍ଚିଥିଲେ ।