ଅମରାବତି:ମଧ୍ୟ ପ୍ରଦେଶ ପରେ ଏବେ ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଛି ପରିସ୍ରାକାଣ୍ଡ । ଜଣେ ଆଦିବାସୀ ଯୁବକଙ୍କୁ ନିର୍ଧୁମ ମାଡ଼ ମାରିବା ସହ ତାଙ୍କ ଉପରେ ପରିସ୍ରା କରିଛନ୍ତି ଦୁର୍ବୃତ୍ତଙ୍କ ଏକ ଗୋଷ୍ଠୀ । ଆନ୍ଧ୍ର ପ୍ରଦେଶ ପ୍ରକାଶମ ଜିଲ୍ଲାର ଓନଗୋଲ ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ଘଟଣାଟି ଗତମାସ ଜୁନ 19 ତାରିଖରେ ଘଟିଛି ଓ ଭିଡିଓ ଭାଇରାଲ ହେବା ପରେ ଏବେ ଲୋକଲୋଚନକୁ ଆସିଛି । ମାମଲାରେ ପୋଲିସ 6 ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସମ୍ପୃକ୍ତ ଆଦିବାସୀ ଯୁବକଙ୍କର ସ୍ଥାନୀୟ ଜଣେ ନାବାଳିକା ସହ ପ୍ରେମ ସମ୍ପର୍କ ଥିବା ଅଭିଯୋଗରେ ଏପରି ବର୍ବରୋଚିତ ନିର୍ଯାତନା ଦିଆଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ପ୍ରକାଶମ ଜିଲ୍ଲା ପୋଲିସ ଅଧୀକ୍ଷକଙ୍କ ସୂଚନା ଅନୁସାରେ, ସଂଘବଦ୍ଧ ଆକ୍ରମଣ ଓ ଏପରି ବର୍ବରତାର ଶିକାର ହୋଇଥିବା ଆଦିବାସୀ ଯୁବକଙ୍କ ନାମ ମୋଟା ନବୀନ ଓ ସେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା । ସ୍ଥାନୀୟ ଅଞ୍ଚଳର ରମନଜନେୟାଲୁ ନାମକ ଜଣେ ଯୁବକ ଓ ତାର 7 ଜଣ ସହଯୋଗୀ ଏପରି କାଣ୍ଡ ଭିଆଇଛନ୍ତି । ପୀଡିତଙ୍କର ଜଣେ ସ୍ଥାନୀୟ ନାବାଳିକା ସହ ପ୍ରେମ ସମ୍ପର୍କ ଥିଲା । ସେ ପୂର୍ବରୁ ମଧ୍ଯ ତାକୁ ନେଇ ଫେରାର ହେବାକୁ ଉଦ୍ୟମ କରିବା ବେଳେ ଗିରଫ ହୋଇ ପକ୍ସୋ ଆକ୍ଟରେ କୋର୍ଟ ଚାଲାଣ ହୋଇଥିଲେ । ହେଲେ ସେ ଜେଲ୍ରୁ ଫେରିବା ପରେ ମଧ୍ୟ ସମ୍ପୃକ୍ତ ନାବାଳିକା ସହ ସମ୍ପର୍କରେ ଥିବା ସନ୍ଦେହ କରୁଥିଲେ ସ୍ଥାନୀୟ ବାସିନ୍ଦା ।
ଏହି ଅଭିଯୋଗରେ ରମନଜନେୟାଲୁ ଓ ତାର ସହଯୋଗୀମାନେ ଜୁନ 30 ତାରିଖରେ ପୀଡିତ ମୋଟା ନବୀନଙ୍କୁ କୌଣସି ଏକ ସ୍ଥାନକୁ ଡାକି ସଂଘବଦ୍ଧ ଆକ୍ରମଣ କରିଥିଲେ ଓ ପୀଡିତଙ୍କ ଉପରେ ପରିସ୍ରା ମଧ୍ୟ କରିଥିଲେ । ଏବେ ଭିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଘଟଣାରେ 6 ଜଣ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ରମନଜନେୟାଲୁ ଏବେ ମଧ୍ୟ ଫେରାର ରହଛି । ତାକୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏସସି/ଏସଟି ଆକ୍ଟ ସମେତ ଅନ୍ୟାନ୍ୟ ଦଫା ଲଗାଯାଇ କୋର୍ଟ ଚାଲାଣ କରାଯାଇଛି ।