ହାଇଦ୍ରାବାଦ:ଉଚ୍ଚଶିକ୍ଷା ପାଇଁ ନିକଟରେ ଆମେରିକା ଯାଇଥିବା ତେଲୁଗୁ ଭାଷାଭାଷୀ ରାଜ୍ୟର ୧୬ ଜଣ ଛାତ୍ରଛାତ୍ରୀଙ୍କୁ ସେଠାରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ସମସ୍ତ ଛାତ୍ରଙ୍କୁ ଆମେରିକାରୁ ବିତାଡିତ କରାଯାଇଛି । ଏହାର କାରଣ ଭିସା ଡକ୍ୟୁମେଣ୍ଟ ଓ ପ୍ରବେଶ ପାଇଁ ଆବଶ୍ୟକୀୟ ସର୍ତ୍ତାବଳୀରେ ବିସଙ୍ଗିତ ବୋଲି କୁହାଯାଉଛି । ତେବେ ଏହା ପ୍ରଥମ ଥର ନୁହେଁ, ଭିସା ଡକ୍ୟୁମେଣ୍ଟରେ ତ୍ରୁଟି ପାଇଁ ପୂର୍ବରୁ ମଧ୍ୟ ଅନେକ ଛାତ୍ରଙ୍କୁ ଆମେରିକାରୁ ବାହାର କରାଯାଇଛି ।
କିଛି ଦିନ ପୂର୍ବରୁ ୫୦୦ରୁ ଅଧିକ ଭାରତୀୟ ଛାତ୍ରଙ୍କ ସହ ଏଭଳି ଘଟିଥିଲା । ସେମାନଙ୍କ ମଧ୍ୟରେ ଅଧିକାଂଶ ତେଲୁଗୁ ଭାଷାଭାଷୀ ରାଜ୍ୟର ପିଲା ଥିଲେ । ଏହି ଛାତ୍ରମାନେ ଆମେରିକା କଷ୍ଟମ ଓ ବର୍ଡର ସୁରକ୍ଷା ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ଦେବାରେ ବିଫଳ ହୋଇଥିଲେ । ଏକ୍ସପର୍ଟଙ୍କ କହିବା କଥା, ଆସନ୍ତା ମାସ ଗୁଡିକରେ ଆହୁରି ଅନେକ ଛାତ୍ରଙ୍କୁ ବିତାଡିତ କରାଯାଇପାରେ କାରଣ ଏଠାରେ ଅଗଷ୍ଟ ଓ ସେପ୍ଟେମ୍ବରରେ ଆଡମିଶନ ସେସନ ଆରମ୍ଭ ହୋଇଥାଏ ।
ଦକ୍ଷିଣ କାର୍ଲିଫର୍ଣ୍ଣିଆର ଆଟର୍ଣ୍ଣି ପ୍ରଫେରସ ଡ. ରଘୁ କୋରାପତି କହିଛନ୍ତି ଯେ, ଆମେରିକାରେ ଅଧ୍ୟୟନ ପାଇଁ ଆସୁଥିବା କିଛି ଛାତ୍ର ଇମିଗ୍ରେସନ କର୍ତ୍ତୃପକ୍ଷଙ୍କ ଦ୍ବାରା କରାଯାଉଥିବା ସମୀକ୍ଷା ଓ ପଚରାଉଚରାରେ ପ୍ରଭାବିତ ହୋଇଥାନ୍ତି । ସମୀକ୍ଷା ବେଳେ ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟରେ ବିସଙ୍ଗିତ ଦେଖାଗଲେ ଅଥବା ପ୍ରଶ୍ନର ଭୁଲ୍ ଉତ୍ତର ଦେଲେ ସେମାନଙ୍କୁ ନିର୍ବାସନର ସାମ୍ନା କରିବାକୁ ପଡିଥାଏ । ଏହାବ୍ୟତୀତ ଇମିଗ୍ରେସନ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ଫୋନ ବାର୍ତ୍ତାଳାପ, ମେସେଜ, ଲ୍ୟାପଟପ କଣ୍ଟେଟ ଓ ଇମେଲର ଯାଞ୍ଚ କରିଥାନ୍ତି । ଏହି ସମୟରେ ଯଦି ଛାତ୍ରଛାତ୍ରୀଙ୍କ ବାୟୋ ଡାଟାରେ ଦିଆଯାଇଥିବା ସୂଚନା ଓ ତାଙ୍କ ପାଖରେ ଥିବା ଡକ୍ୟୁମେଣ୍ଟରେ ଅସମାନତା ଦେଖାଯାଏ ତାହାହେଲେ ମଧ୍ୟ ତାଙ୍କୁ ଦେଶରୁ ବାହାରିବାକୁ ପଡିଥାଏ । ଏହି କାରଣରୁ ଆନ୍ଧ୍ରର ଛାତ୍ରମାନଙ୍କୁ ସ୍ବଦେଶ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅନୁମାନ କରାଯାଉଛି ।
ଏକ୍ସପର୍ଟଙ୍କ କହିବା କଥା, ଇମିଗ୍ରେସନ ଅଧିକାରୀ ବିମାନ ବନ୍ଦର ଦେଇ ଆସୁଥିବା ଛାତ୍ରଛାତ୍ରୀଙ୍କ ଏଫ-୧ ଭିସା ଓ ବୋର୍ଡିଂ ପାସ୍ର ଯାଞ୍ଚ କରନ୍ତି, ଏହି ପ୍ରକ୍ରିୟାକୁ 'ପୋର୍ଟ ଅଫ୍ ଏଣ୍ଟ୍ରି' କୁହାଯାଏ । ସବୁ ଛାତ୍ର ଏହି ପ୍ରକ୍ରିୟା ମଧ୍ୟରେ ଆସିନଥାନ୍ତି । କିଛି ଛାତ୍ରଙ୍କୁ ହିଁ ପ୍ରଶ୍ନ ପଚରା ଯାଇଥାଏ । ଯେମିତିକି ସେ କେଉଁ ବିଶ୍ବବିଦ୍ୟାଳୟର ଆଡମିଶନ ନେବାକୁ ଚାହୁଁଛନ୍ତି, ପାଠ୍ୟକ୍ରମ ଓ ଆବାସିକ ଠିକଣା ଇତ୍ୟାଦି ।
ଆମେରିକାର ବାଣିଜ୍ୟ ଦୂତାବାସ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ, କିଛି ଛାତ୍ର ଇଂରାଜୀରେ ଅଧିକାରୀଙ୍କ ପ୍ରଶ୍ନର ଠିକ୍ ଭାବେ ଉତ୍ତର ଦେଇପାରି ନଥିଲେ । ଯେଉଁମାନଙ୍କୁ ବିତାଡିତ କରାଯାଇଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀଙ୍କ ଇଂରାଜୀ ଭାଷା ଦକ୍ଷତାର ଅଭାବ ରହିଥିଲା । ତେଣୁ ସେ ଇଂରାଜୀରେ ଯୋଗାଯୋଗ କରିବାକୁ ଅସମର୍ଥ ହୋଇଥିଲେ । ତେବେ ମୁଖ୍ୟତଃ ହ୍ବାର୍ଟ୍ସଆପ ବାର୍ତ୍ତାଳାପ, ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମରେ ସୋସିଆଲ ମିଡିଆ ପୋଷ୍ଟ ଓ ଇମେଲ ଆମେରିକାରେ ଅଧ୍ୟୟନ ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଅଧିକ ବାଧକ ସାଜୁଛି । ଇମିଗ୍ରେସନ ଅଧିକାରୀ ଏବେ ସେମାନଙ୍କୁ ପଚରାଉଚରା କରିବା ଲାଗି ସୋସିଆଲ ମିଡିଆ ଆଲୋଚନା ଓ ପୋଷ୍ଟର ଯାଞ୍ଚ କରୁଛନ୍ତି ଏବଂ ଏଥିରେ ସନ୍ଦିଗ୍ଧ ପାଇଲେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । କୌଣସି ଛାତ୍ର ଆପତ୍ତିଜନକ ପୋଷ୍ଟରେ ଜଡିତ ଥିଲେ ଏହାକୁ ଗମ୍ଭୀରତାର ସହ ନିଆଯାଉଛି ବୋଲି ଏକ୍ସପର୍ଟ କହିଛନ୍ତି ।
ଆମେରିକା କାର୍ଲିଫର୍ଣ୍ଣିଆରେ ଏମଏସ ପ୍ରୋଗ୍ରାମ ଅଧ୍ୟୟନ କରୁଥିବା ଜଣେ ତେଲୁଗୁ ଛାତ୍ର କହିଛନ୍ତି ଯେ, ପ୍ରତ୍ୟେକଙ୍କୁ ପଚରାଉଚରା କରିବା ଓ ନିରୀକ୍ଷଣ କରିବା ଅବ୍ୟବହାରିକ ଅଟେ । ଏହା ବଦଳରେ ଅଧିକାରୀମାନେ ବିସ୍ତୃତ ଯାଞ୍ଚ ପାଇଁ କିଛି ବ୍ୟକ୍ତିଙ୍କୁ ଚୟନ କରିଥାନ୍ତି ଓ ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ରଖି ଫୋନ ଓ ଲ୍ୟାପଟପ ଯାଞ୍ଚ କରନ୍ତି । ଆପଣଙ୍କ ଡକ୍ୟୁମେଣ୍ଟ ନକଲି କି, ଭଳି ଡରାଇବା ଢଙ୍ଗରେ ପ୍ରଶ୍ନ କରିଥାନ୍ତି ।
ପାଠପଢା ପାଇଁ ଆମେରିକା ଯାଉଥିଲେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ:
- ଭିସା ମଞ୍ଜୁରୀ ପାଇଁ କୌଣସି ପ୍ରକାର ଜାଲ୍ ଡକ୍ୟୁମେଣ୍ଟ ଦାଖଲ କରିବା ଅନୁଚିତ
- ଆମେରିକାରେ ବେଆଇନ ଭାବେ କାମ କରନ୍ତୁ ନାହିଁ । ଏହି ବିଷୟରେ ଚାଟିଂ କରିବା ବି ଅନୁଚିତ୍
- ସୋସିଆଲ ମିଡିଆରେ ଘୃଣା ଓ ଉସକାଇବା ଭଳି ପୋଷ୍ଟ କରନ୍ତୁ ନାହିଁ
- ଆପଣ ପଢୁଥିବା ବିଶ୍ବବିଦ୍ୟାଳୟ ସମ୍ପର୍କରେ ପୁରା ବିବରଣୀ ଦାଖଲ କରନ୍ତୁ
- ପାଠପଢା ସମୟରେ କାହା ସହିତ ରହିବେ ସେନେଇ ସ୍ପଷ୍ଟ ହୁଅନ୍ତୁ ।
- ଯଦି ପାଠପଢା ପାଇଁ ବ୍ୟାଙ୍କରୁ ଲୋନ ନେଇଥାନ୍ତି, ଏହାର ଆବଶ୍ୟକୀୟ ଦସ୍ତାବିଜ ପାଖରେ ରଖନ୍ତୁ ।
- I-20ରେ ସମସ୍ତ ବିବରଣୀ ଦିଅନ୍ତୁ । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ପ୍ରସାର କରେ ।