ଅମରାବତୀ:ବହୁଚର୍ଚ୍ଚିତ ଦକ୍ଷତା ବିକାଶ ଘୋଟାଲା ମାମଲାରେ ଗିରଫ ହୋଇଥିବା ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ନ୍ୟାୟିକ ହାଜତ ଅବଧିକୁ ଆସନ୍ତାମାସ (ଅକ୍ଟୋବର) 5 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଜି ବିଜୟଓ୍ବାଡାର ଏକ ସ୍ଥାନୀୟ କୋର୍ଟ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ଚନ୍ଦ୍ରବାବୁଙ୍କ ପୂର୍ବ ନ୍ୟାୟିକ ହାଜତ ଅବଧି ସହ ତଦନ୍ତକାରୀ ସଂସ୍ଥାର ରିମାଣ୍ଡ ଅବଧି ମଧ୍ୟ ଶେଷ ହୋଇଥିଲା । ତେବେ ପୁଣି ତାଙ୍କୁ ଏବେ ଜେଲରେ ରହିବାକୁ ପଡିବ ।
ଚନ୍ଦ୍ରବାବୁ ନାଇଡୁ ଗତକାଲି (ଶନିବାର) ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଶୁକ୍ରବାର ନାଇଡୁ ନିଜ ବିରୋଧରେ ଜାରି ରହିଥିବା ମାମଲାକୁ ଖାରଜ କରିବା ନେଇ ଆବେଦନ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଯେଉଁ ଆବେଦନ କରିଥିଲେ, ତାହା ଖାରଜ ହୋଇଯାଇଥିଲା । ଶୁକ୍ରବାର ବିଜୟଓ୍ବାଡା କୋର୍ଟ ନାଇଡୁଙ୍କୁ ଦୁଇଦିନିଆ ସିଆଇଡି ରିମାଣ୍ଡରେ ପଠାଇଥିଲେ । ଆଜି ତାଙ୍କ ସିଆଇଡି ରିମାଣ୍ଡ ସହ ନ୍ୟାୟିକ ହାଜତ ଅବଧି ମଧ୍ୟ ଶେଷ ହୋଇଥିଲା । ଏବେ ପୁଣି ତାଙ୍କ ଜୁଡିସିଆଲ ରିମାଣ୍ଡ ଅବଧିକୁ ବଢାଯାଇଛି ।
ଦକ୍ଷତା ବିକାଶ ଯୋଜନାରେ ପ୍ରାୟ 300 କୋଟିର ଘୋଟାଲା ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନାଇଡୁଙ୍କୁ ଚଳିତ 9 ତାରିଖରେ ଗିରଫ କରାଯାଇଥିଲା । ସେ ଏବେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ଏକାଧିକ ଥର ତାଙ୍କ ଜାମିନ ଓ ମାମଲା ଖାରଜ କରାଯିବା ଆବେଦନ କୋର୍ଟରେ ଖାରଜ ହୋଇସାରିଛି । ତେବେ ଅନ୍ୟପଟେ ଜେଲରେ ସୁରକ୍ଷା କାରଣ ଦର୍ଶାଇ ତାଙ୍କୁ ଗୃହବନ୍ଦୀ ଭାବେ ରହିବାକୁ ଅନୁମତି ଦେଇ ତଦନ୍ତ ଜାରି ରଖିବାକୁ ହୋଇଥିବା ଆବେଦନ ମଧ୍ୟ କୋର୍ଟରେ ଖାରଜ ହୋଇଛି ।