ଅମରାବତୀ:ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନଙ୍କୁ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ନମୂନା ପରୀକ୍ଷା ପରେ ସେ କୋଭିଡରେ ସଂକ୍ରମିତ ନେଇ ସ୍ପଷ୍ଟ ହୋଇଥିବା ଆନ୍ଧ୍ର ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି । ୮୭ ବର୍ଷୀୟ ହରିଚନ୍ଦନ ବର୍ତ୍ତମାନ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ବିଜୟଓ୍ବାଡାସ୍ଥିତ ରାଜଭବନରେ ସେ ଗତକାଲି(ମଙ୍ଗଳବାର) ଅସୁସ୍ଥତା ଅନୁଭବ କରିଥିଲେ ହରିଚନ୍ଦନ । ରାଜ୍ୟପାଳଙ୍କ ବ୍ୟକ୍ତିଗତ ଚିକିତ୍ସାଧିକାରୀଙ୍କ ସମେତ ରାଜଭବନ ଡାକ୍ତରଙ୍କ ଏକ ଟିମ୍ ତାଙ୍କୁ ପ୍ରାଥମିକ ଚିକିତ୍ସା ଦେଇଥିବାବେଳେ ହସ୍ପିଟାଲର ସ୍ଥାନାନ୍ତରିତ କରାଯିବାର ଆବଶ୍ୟକତା ଥିବା ପରାମର୍ଶ ଦେଇଥିଲେ । ପରେ ରାଜଭବନ କର୍ତ୍ତୃପକ୍ଷ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛନ୍ତି । ହରିଚନ୍ଦନଙ୍କ ସହ ତାଙ୍କ ପତ୍ନୀ ଓ ପୁଅ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ହସ୍ପିଟାଲରେ ଉପସ୍ଥିତ ଥିବା ସୂଚନା ରହିଛି ।