ଓଡିଶା

odisha

ETV Bharat / bharat

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବିମାନର ଜରୁରୀ ଅବତରଣ - ଜଗନ ମୋହନ ରେଡ୍ଡୀଙ୍କ ବିମାନର ଜରୁରୀ ଅବତରଣ

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ବିମାନର ଜରୁରୀ ଅବତରଣ । ଦିଲ୍ଲୀ ଯାଉଥିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବିମାନର ଜରୁରୀ ଅବତରଣ
ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବିମାନର ଜରୁରୀ ଅବତରଣ

By

Published : Jan 30, 2023, 8:45 PM IST

Updated : Jan 30, 2023, 10:48 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଦିଲ୍ଲୀ ନେଇ ଯାଉଥିବା ଏକ ସ୍ବତନ୍ତ୍ର ବିମାନ ଜରୁରୀ ଅବତରଣ କରିଛି । ଉଡାଣର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡିବାରୁ ବିମାନଟି ଆନ୍ଧ୍ରପ୍ରଦେଶ ସ୍ଥିତ ଗନ୍ନାଭରମ ବିମାନ ବନ୍ଦରକୁ ପୁଣିଥରେ ଫେରି ଆସିଛି । ଏଠାରେ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଯାଇଥିବା ସୂଚନା ମିଳିଛି । ଆଜି(ସୋମବାର) ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ଥିଲା ।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ମାର୍ଚ୍ଚରେ ବିଶାଖାପାଟଣା ଠାରେ ହେବାକୁ ଥିବା ବୈଶ୍ବିକ ନିବେଶକ ସମ୍ମିଳନୀର ପ୍ରସ୍ତୁତି ବୈଠକରେ ଯୋଗ ଦେବା ପାଇଁ ଜଗନ ମୋହନ ରେଡ୍ଡୀ ଦିଲ୍ଲୀ ଯାଇଥାନ୍ତେ । ଏଥିପାଇଁ ଆଜି ଅପରାହ୍ନ ୫ଟା ସମୟରେ ମୁଖ୍ୟମନ୍ତ୍ରୀ ଗନ୍ନାଭରମ ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ମାତ୍ର କିଛି ବାଟ ଯିବା ପରେ ମଝି ଆକାଶରେ ପାଇଲଟ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ତୁରନ୍ତ ବିମାନର ଦିଗ ବଦଳାଇ ଗନ୍ନାଭରମ ବିମାନ ବନ୍ଦରକୁ ଫେରାଇ ଆଣିଥିଲେ ।

ଅପରାହ୍ନ ୫ଟା ୨୭ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବିମାନ ଜରୁରୀ ଅବତରଣ କରିଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ପାଇଁ ଅଧିକାରୀମାନେ ଅନ୍ୟ ଏକ ବିମାନ ବ୍ୟବସ୍ଥା କରୁଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ବିମାନର ଏମର୍ଜେନ୍ସି ଡୋର ଖୋଲିବାକୁ ଉଦ୍ୟମ, ଯାତ୍ରୀଙ୍କ ବିରୁଦ୍ଧରେ ମାମଲା

ଉଲ୍ଲେଖଯୋଗ୍ୟ, ଗତକାଲି(ରବିବାର) ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ କୋଲକାତା ଅଭିମୁଖେ ଯାଉଥିବା ଏୟାର ଏସିଆ ବିମାନ ଜରୁରୀ ଅବତରଣ କରିଥିଲା । ଲକ୍ଷ୍ନୌ ବିମାନ ବନ୍ଦରରୁ ଉଡାଣ ପରେ ବିମାନରେ ପକ୍ଷୀ ମାଡ ହେବାରୁ ଏହାକୁ ଲକ୍ଷ୍ନୌରେ ଜରୁରୀ ଅବତରଣ କରାଯାଇଥିଲା । ଏହାପରେ ବିମାନକୁ ଭଲ ଭାବେ ଯାଞ୍ଚ କରାଯିବା ସହ ଯାତ୍ରୀମାନଙ୍କୁ ଅନ୍ୟ ବିମାନରେ କୋଲକାତା ପଠାଇବା ପାଇଁ ଏୟାରଲାଇନ୍ସ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା ।

Last Updated : Jan 30, 2023, 10:48 PM IST

For All Latest Updates

ABOUT THE AUTHOR

...view details