ଭୁବନେଶ୍ବର: ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଏବେ ଦର୍ଶକ ମାନଙ୍କ ଲାଗି ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ଏହାକୁ ଦୃଷ୍ଟିରେ ରଖି କଳାଭୂମିରେ ଆଜି(ସୋମବାର) ଏକ ଖୋଲା ପାଠାଗାର ଉଦ୍ଘାଟିତ ହୋଇଛି । ଏହି ପାଠାଗାରକୁ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି ।
ଓଏସ୍ଆର୍ଟିସି ବସର ବାହ୍ୟ ଭାଗରେ ଓଡ଼ିଶାର ପରମ୍ପରା ଓ ପଶୁପକ୍ଷୀଙ୍କ କାହାଣୀକୁ ନେଇ ଭିନ୍ନ ଭିନ୍ନ ଚିତ୍ର ଅଙ୍କା ଯାଇଛି । ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟର ମିଳିତ ସହଯୋଗରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସମର୍ଥନରେ ବକୁଳ ଫାଉଣ୍ଡେସନ୍ ଦ୍ୱାରା ଏହି ବସ୍ ପାଠାଗାର ପ୍ରତିଷ୍ଠା କରାଯାଇଛି । ଏହି ବସ୍ ପାଠାଗାରରେ ୪୦୦୦ରୁ ଉର୍ଦ୍ଧ୍ବ ପୁସ୍ତକ ରହିଛି । ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ ବୟସର ବ୍ୟକ୍ତିବିଶେଷଙ୍କ ନିମନ୍ତେ ଏଠାରେ ଇଂରାଜୀ ଓ ଓଡ଼ିଆ ପୁସ୍ତକ ରହିଛି । ଏହି ପାଠାଗାର ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ସପ୍ତାହରେ ସୋମବାର ବ୍ୟତୀତ ଅନ୍ୟ ଛଅଦିନ ଖୋଲା ରହିବ । ନିୟମିତ ଭାବରେ ଗଳ୍ପ, କଳା ଓ ହସ୍ତକଳା ଅଧିବେଶନ ରହିବ ।