ମୁମ୍ବାଇ:ସହଯାତ୍ରୀଙ୍କ ପାଦରେ ଚଢିଯିବା ବୟସ୍କ ବ୍ୟକ୍ତିଙ୍କ ପାଇଁ ପଡ଼ିଲା ମହଙ୍ଗା । ଏହା ଏତେ ମହଙ୍ଗା ପଡ଼ିଛି ଯେ ଶେଷରେ ସେ ମୃତ୍ୟୁବରଣ କରିଛନ୍ତି । ଗୁରୁବାର ଅପରାହ୍ନରେ ଟ୍ରେନରେ ଚଢିବା ସମୟରେ ବ୍ୟକ୍ତି ଜଣକ ଭୁଲବଶତଃ ଅଭିଯୁକ୍ତର ପିତାଙ୍କ ପାଦରେ ଚଢି ଯାଇଥିଲେ । ଏଥିରେ ରାଗି ଯାଇ ଅଭିଯୁକ୍ତ ଜଣକ ଉକ୍ତ ବୟସ୍କ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ । ଫଳରେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କଲ୍ୟାଣ-ଟିଟୱାଲା ଲୋକାଲ ଟ୍ରେନରେ ଘଟିଛି ଅଭାବନୀୟ ଘଟଣା । ମୃତ ବ୍ୟକ୍ତିଙ୍କ ପରିବାରର ଅଭିଯୋଗ ଅନୁସାରେ ପୋଲିସ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି ।
ମୃତ ବ୍ୟକ୍ତିଙ୍କ ନାମ ବାବନ ହନ୍ଦେ ଦେଶମୁଖ ହୋଇଥିବା ବେଳେ ଅଭିଯୁକ୍ତ ଜଣକ ଭସିନ୍ଦ ଅଞ୍ଚଳର ସୁନୀଲ ଯାଦବ(୫୦) ବୋଲି ଜଣାପଡ଼ିଛି । ମୃତ ଦେଶମୁଖ ଗୁରୁବାର ସକାଳେ ରାସନ ଅଫିସକୁ ଆସିଥିଲେ । ଏଥିଲାଗି ସେ ଅମ୍ବିଭାଲି ଯିବା ଲାଗି କଲ୍ୟାଣ ରେଲୱେ ଷ୍ଟେସନରେ ପହଞ୍ଚିଥିଲେ । ଅଭିଯୁକ୍ତ ଯାଦବ ନିଜ ପିତାଙ୍କ ସହିତ ଲୋକାଲ ଲଗେଜ କମ୍ପାଟମେଣ୍ଟରେ ଯାତ୍ରା କରୁଥିଲେ । ଯେତେବେଳେ ଷ୍ଟେସନ୍ରେ ଟ୍ରେନ୍ ପହଞ୍ଚିଥିଲା ସେତେବେଳେ ଦେଶମୁଖ ଟ୍ରେନ୍ରେ ଚଢିଥିଲେ । ଏହି ସମୟରେ ସେ ଭୁଲବଶତଃ ଯାଦବଙ୍କ ପାଦ ଉପରେ ଚଢି ଯାଇଥିଲେ ।