ନୂଆଦିଲ୍ଲୀ:ଦର ଦାମ ବୃଦ୍ଧି ବଢି ଚାଲିଥିବା ବେଳେ ଏଥିରେ ମଧ୍ୟ ସାମିଲ ହେବାକୁ ଯାଉଛି କ୍ଷୀର । ଲିଟର ପିଚ୍ଛା ଦୁଇ ଟଙ୍କା ବଢାଇବା ନେଇ ନିଷ୍ପତ୍ତି ନେଇଛନ୍ତି ଅମୁଲ ଓ ମଦର ଡାଏରୀ ପରି ଦେଶର ଅଗ୍ରଣୀ କ୍ଷୀର ଉତ୍ପାଦନକାରୀ କମ୍ପାନୀ । ବୁଧବାର ଠାରୁ ଏହି ବର୍ଦ୍ଧିତ ଦର ଦେଶବ୍ୟାପୀ ଲାଗୁ ହେବା ନେଇ ସୂଚନା ମିଳିଛି ।
ବର୍ତ୍ତମାନ ବଜାରକୁ ଦେଖି ଦର ବଢାଇବା ନିଷ୍ପତ୍ତି ପ୍ରସଙ୍ଗରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି ଅଗ୍ରଣୀ କ୍ଷୀର ଉତ୍ପାଦନକାରୀ ସଂସ୍ଥା ଅମୁଲ । ସଂସ୍ଥା କହିଛି, ବର୍ଦ୍ଧିତ ଦର ଲାଗୁ ହେବ ପରେ ଅହମ୍ମଦାବାଦ ଓ ସୌରାଷ୍ଟ୍ରରେ ଲିଟର ପିଚ୍ଛା 2ଟଙ୍କା ବଢିବ ଦର । ସେଠାରେ 500 ମିଲି ଲିଟର କ୍ଷୀରର ଦାମ 31 ଟଙ୍କା ହେବ । ସେହିପରି ଅମୁଲ ତାଜା (Amul Taaza )କ୍ଷୀରର ଅଧ ଲିଟର ପ୍ୟାକେଟ 25 ଟଙ୍କା ଓ ଅମୁଲ ଶକ୍ତି (Amul Shakti) 28 ଟଙ୍କାରେ ମାର୍କେଟରେ ଉପଲବ୍ଧ ହେବ । ଦେଶର ଅନ୍ୟ ପ୍ରମୁଖ ସହରରେ ମଧ୍ୟ ବର୍ତ୍ତମାନର ଦର ଠାରୁ ନୂତନ ଦର ପ୍ରାୟ 2ଟଙ୍କା ଅଧିକା ରହିବା ନେଇ ସଂସ୍ଥା କହିଛି ।