ଚଣ୍ଡିଗଡ଼: ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ଆତ୍ମସମର୍ପଣ କରିବା ଚର୍ଚ୍ଚାରେ ଲାଗିଲା ପୂର୍ଣ୍ଣଚ୍ଛେଦ । ଏନେଇ ନିଜେ ଅମ୍ରିତପାଲ ସିଂହ ଭିଡିଓ ଜାରି କରି ଏହି ଚର୍ଚ୍ଚାକୁ ମିଥ୍ୟା ବୋଲି କହିଛି । ତେବେ ଆଜି ଅମ୍ରିତପାଲ ସିଂହ ଅକାଳ ତଖ୍ତର ମୁଖ୍ୟ ଜାଠେଦାରଙ୍କୁ ଭେଟିବା ପରେ ସେ ଆତ୍ମସମର୍ପଣ କରିପାରେ ବୋଲି ଚର୍ଚ୍ଚା ହୋଇଥିଲା । ଏନେଇ ପଞ୍ଜାବ ପୋଲିସ ଓ ସୁରକ୍ଷା ବାହିନୀ ଦ୍ବାରା ସ୍ବର୍ଣ୍ଣ ମନ୍ଦିର ରାସ୍ତାରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା । ତେବେ ନିଜେ ଅମ୍ରିତପାଲ ଭିଡିଓ ଜାରି କରି ଏହି ଚର୍ଚ୍ଚାକୁ ଖଣ୍ଡନ କରିଛି । ଏହା ସହ ବୈଶାଖିରେ ସର୍ବତ ଖାଲ୍ସାର ନେତୃତ୍ବ ନେବାପାଇଁ ସେ ଜେଠାଦାରଙ୍କୁ ଅପିଲ କରିଛି ।
ତେବେ ୱାରିସ ପଞ୍ଜାବ ଦେ ସଂଗଠନ ମୁଖ୍ୟ ଅମ୍ରିତପାଲ ସିଂହ ଆତ୍ମସମର୍ପଣ କରିବା ଚର୍ଚ୍ଚା ମଧ୍ୟରେ ପଳାତକର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ କହିଛି ଯେ ସେ ଗିରଫ ହେବାକୁ ଡରେ ନାହିଁ । ତାର କେହି କିଛି ବିଗାଡ଼ି ପାରିବେ ନାହିଁ ବୋଲି କହି ପୁରା ପୋଲିସ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରଛି ପଳାତକ ଅମ୍ରିତପାଲ । ସେ ଶିଖ୍ ସଙ୍ଗତ ସହ ମଧ୍ୟ ଲାଇଭ ବାର୍ତ୍ତାଳପ କରିଛି । ସେ କହିଛି, "ଏହା କେବଳ ମୋର ଗିରଫ ହେବା ପ୍ରସଙ୍ଗ ନୁହେଁ । ଏହା ସମ୍ପୂର୍ଣ୍ଣ ଶିଖ ସମୁଦାୟ ଉପରେ ଆକ୍ରମଣର ପ୍ରସଙ୍ଗ । ଯଦି ସରକାରଙ୍କ କେବଳ ମୋତେ ଗିରଫ କରିବାର ମାନସିକତା ଥିଲା, ତେବେ ମୋତେ ଘରୁ ଆସି ଗିରଫ କରି ପାରିଥାନ୍ତେ । କିନ୍ତୁ ଯେତେବେଳେ ପଞ୍ଜାବରେ ଇଣ୍ଟରେଟ ବନ୍ଦ ହେଲା, ଏହା ଶିଖ ସମୁଦାୟ ଉପରେ ଆକ୍ରମଣ । ସରକାରଙ୍କ ଅତ୍ୟାଚାରର ସୀମା ଅତିକ୍ରମ କରିଛି । ସରକାରର ଏଭଳି ଆକ୍ରମଣରେ କୌଣସି ଶିଖ୍ ରକ୍ଷା ପାଇଲେ ନାହିଁ ।"