ହାଇଦ୍ରାବାଦ:ଆସନ୍ତାକାଲି ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ କରିବାକୁ ଯାଉଛି ବାତ୍ୟା ‘ବିପର୍ଯ୍ୟୟ’ । ଏହି କାରଣରୁ ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ତେଲେଙ୍ଗାନା ଗସ୍ତ ମଧ୍ୟ ସ୍ଥଗିତ ରହିଛି । କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପି ସରକାରର 9ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଦଳ ପକ୍ଷରୁ ଜାରି ରହିଥିବା ମହାସମ୍ପର୍କ ଅଭିଯାନ ଅବସରରେ ତେଲେଙ୍ଗାନର ଖାମମରେ ହେବାକୁ ଥିବା ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହୋଇଥାଆନ୍ତେ । ତେବେ ବାତ୍ୟା କାରଣରୁ ଶାହଙ୍କ ଗସ୍ତ ସ୍ଥଗିତ ରହିଥିବା ପ୍ରଦେଶ ବିଜେପି ପକ୍ଷରୁ ସୂଚନା ମିଳିଛି ।
ତେଲେଙ୍ଗାନା ବିଜେପି ପ୍ରଦେଶ ଅଧ୍ୟକ୍ଷ ବଣ୍ଡି ସଞ୍ଜୟ ଟ୍ବିଟ୍ କରି କହିଛନ୍ତି,‘‘ପଶ୍ଚିମ ଉପକୂଳ ତଥା 3 ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ ଓ ରାଜସ୍ଥାନ ଉପକୂଳରେ ବାତ୍ୟା ସ୍ଥିତି କାରଣରୁ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ତେଲେଙ୍ଗାନା ଗସ୍ତ ସ୍ଥଗିତ ରହିଛି । ଖାମମରେ ଆସନ୍ତାକାଲି (ଗୁରୁବାର) ଏହି କାର୍ଯ୍ୟକ୍ରମ ହେବାର ଥିଲା ।’’
କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରର 9 ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ଜନତା ପାର୍ଟି ଦେଶବ୍ୟାପୀ ମହାସମ୍ପର୍କ ଅଭିଯାନ ଆରମ୍ଭ କରିଛି । କେନ୍ଦ୍ରମନ୍ତ୍ରୀ, ଦଳୀୟ ସାଂସଦମାନେ ଆୟୋଜିତ ସମାବେଶରେ ଲୋକଙ୍କ ନିକଟରେ ମୋଦି ସରକାରର ଉପଲବ୍ଧି ପହଞ୍ଚାଉଛନ୍ତି । ତେଲେଙ୍ଗାନା ପ୍ରଦେଶ ବିଜେପି ଦ୍ବାରା ଖାମମରେ ଆସନ୍ତାକାଲି (ଗୁରୁବାର) ଆୟୋଜିତ ହେବାକୁ ଥିବା ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟ ଅତିଥି ଭାବେ ସାମିଲ ହେବାର ଥିଲା । ହେଲେ ବାତ୍ୟା କାରଣରୁ ଗୃହମନ୍ତ୍ରୀ ସମାବେଶରେ ସାମିଲ ହେବେ ନାହିଁ ।