କୋହିମା: ପାଖେଇ ଆସୁଛି ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ । ଗାଦି ହାତେଇବାକୁ ଦଳ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଜୋରଦାର କସରତ । ହେଭିଓ୍ବେଟ ନେତାଙ୍କ ପ୍ରଚାରରେ ପ୍ରକମ୍ପିତ ହେଉଛି ପ୍ରଚାର ମଇଦାନ । ଆଜି ନାଗାଲାଣ୍ଡ ଗସ୍ତ କରି ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏକ ନିର୍ବାଚନୀ ରାଲିରେ ଅପରାହ୍ନ 3ଟା 30 ମିନିଟ ସମୟରେ ସାମିଲ ହୋଇ ସମ୍ବୋଧିତ କରିବେ ଶାହ । ଏନେଇ ବିଜେପି ନେତା ଚିଅଙ୍ଗ କୋନ୍ୟାକ ସୂଚନା ଦେଇଛନ୍ତି । ଏହି ରାଲିରେ ବହୁ ବିଜେପି କର୍ମୀଙ୍କ ସହ ବହୁ ଜନ ସାଧାରଣ ମଧ୍ୟ ସାମିଲ ହେବେ । ଆସନ୍ତାକାଲି ଶାହ ସିଭିଲ ସୋସାଇଟି ଅରଗାନାଇଜେସନର ସଦସ୍ୟଙ୍କୁ ଅମିତ ଶାହ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ଗତ ଫେବୃଆରୀ 16 ତାରିଖରେ ତ୍ରିପୁରାରେ 60 ବିଧାନସଭା ଆସନରେ ଭୋଟିଂ ଶେଷ ହୋଇଛି । ଆସନ୍ତା 27 ତାରିଖରେ ନାଗାଲାଣ୍ଡ ଓ ମେଘାଳୟରେ ମତଦାନ ହେବ । ମାର୍ଚ୍ଚ 2 ତାରିଖରେ ତିନିଟି ରାଜ୍ୟରେ ଜନାଦେଶ ପ୍ରକାଶ ପାଇବ । ନିର୍ବାଚନ ହେବାକୁ ଥିବା ଏହି ଦୁଇ ରାଜ୍ୟରେ 60 ଲେଖାଏଁ ବିଧାନସଭା ଆସନ ରହିଛି । ନାଗାଲାଣ୍ତରେ ମାର୍ଚ୍ଚ 12, ମେଘାଳୟରେ 15 ଓ ତ୍ରିପୁରାରେ 22 ତାରିଖରେ ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଭୋଟିଂ ଦିନ ପାଖେଇ ଆସିଥିବା ବେଳେ ଏହି ଦୁଇ ରାଜ୍ୟରେ ଜୋରଦାର ପ୍ରଚାର ଜାରି ରହିଛି।