ନୂଆଦିଲ୍ଲୀ:ସାମ୍ପ୍ରଦାୟିକ ହିଂସା ପ୍ରଭାବିତ ଉତ୍ତର-ପୂର୍ବ ରାଜ୍ୟ ମଣିପୁର ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ସେଠାରେ ବିଭିନ୍ନ ସମ୍ପ୍ରଦାୟ ପ୍ରତିନିଧିଙ୍କ ସହ ପ୍ରତ୍ୟେକ୍ଷ ଆଲୋଚନା କରି ବିବାଦର ସମାଧାନ କରିବା ନେଇ ପ୍ରୟାସ କରିବେ ବୋଲି ସୂଚନା ମିଳିଛି । ଶାହ ଦଙ୍ଗାରେ ପ୍ରଭାବିତ ସମସ୍ତଙ୍କୁ ନ୍ୟାୟ ମିଳିବା ନେଇ ସାନ୍ତ୍ବନା ଦେବା ସହ ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ ମଧ୍ୟ କରିଛନ୍ତି ।
ଆସାମର କାମରୁପ ଜିଲ୍ଲାରେ ଜାତୀୟ ଫୋରେନସିକ ସାଇନ୍ସ ୟୁନିଭର୍ସିଟିର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ, ଶାହ ଏହି ସୂଚନା ଦେଇଛନ୍ତି । ସେ ନିଜେ ମଣିପୁର ଗସ୍ତ କରି ବିବାଦର ସମାଧାନ କରିବାକୁ ପ୍ରୟାସ କରିବେ । ହେଲେ ଲୋକେ ଶାନ୍ତି ବଜାୟ ରଖିବା ପାଇଁ ପ୍ରୟାସ କରନ୍ତୁ ବୋଲି ଶାହ କହିଛନ୍ତି ।
ଶାହ କହିଥିଲେ,"ମୁଁ ମଣିପୁର ଗସ୍ତ କରିବି ଓ ସେଠାରେ 3 ଦିନ ରହିବି । ଏହା ପୂର୍ବରୁ ଉଭୟ ଗୋଷ୍ଠୀ ବିବାଦ ଛାଡି ଶାନ୍ତି ରକ୍ଷା କରିବା ପାଇଁ ପ୍ରୟାସ କରନ୍ତୁ । ରାଜ୍ୟରେ ସୃଷ୍ଟି ହୋଇଥିବା ହିଂସାରେ ପ୍ରଭାବିତ ହୋଇଥିବା ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ପ୍ରୟାସରେ ରହିଛନ୍ତି । କିନ୍ତୁ ରାଜ୍ୟରେ ଲୋକେ ନିଜଆଡୁ ଶାନ୍ତି ବଜାୟ ରଖିବା ପାଇଁ ପ୍ରୟାସ କରିବା ଉଚିତ ।’’ ଏବେ ଶାହ ଏକ ଦିବସୀୟ ଆସାମ ଗସ୍ତରେ ଅଛନ୍ତି ।