ଓଡିଶା

odisha

ETV Bharat / bharat

କାଶ୍ମୀର ସ୍ଥିତି ନେଇ କାଲି ଉଚ୍ଚସ୍ତରୀୟ ବୈଠକ କରିବେ ଶାହ

Amit Shah to chair high-level security review meeting on JK tomorrow: କାଶ୍ମୀରରେ ସୁରକ୍ଷା ସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ ଶାହ । ଅଧିକ ପଢନ୍ତୁ

କାଶ୍ମୀର ସ୍ଥିତି ନେଇ କାଲି ଉଚ୍ଚସ୍ତରୀୟ ବୈଠକ କରିବେ ଶାହ
କାଶ୍ମୀର ସ୍ଥିତି ନେଇ କାଲି ଉଚ୍ଚସ୍ତରୀୟ ବୈଠକ କରିବେ ଶାହ

By ETV Bharat Odisha Team

Published : Jan 1, 2024, 4:18 PM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତି ନେଇ ଆସନ୍ତାକାଲି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନିକଟରେ ଘାଟିରେ ସୁରକ୍ଷାବଳ ଉପରେ ଆତଙ୍କୀ ଆକ୍ରମଣ ଘଟଣା ବଢିବା ପରେ ଏହି ସମୀକ୍ଷା ବୈଠକ କରିବାକୁ ଯାଉଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଆସନ୍ତାକାଲି ଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ଗୃହମନ୍ତ୍ରୀ ଶାହ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟ ଶାସନ ସଚିବ ଅଟଳ ଦୁଲାଓ, ସ୍ଥାନୀୟ ପୋଲିସ ମହାନିର୍ଦ୍ଦେଶକ ରଶ୍ମିରଞ୍ଜନ ସ୍ବାଇଁ ଓ ଏକାଧିକ କେନ୍ଦ୍ରୀୟ ସଂସ୍ଥାର ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହେବା ନେଇ ସୂଚନା ରହିଛି ।

ନିକଟରେ ଘାଟିରେ ହୋଇଥିବା ଆକ୍ରମଣ ଘଟଣା, ବର୍ତ୍ତମାନର ସୁରକ୍ଷା ସ୍ଥିତି, ଆତଙ୍କବାଦ ପ୍ରତି ଶୂନ୍ୟ ସହିଷ୍ଣୁତା ନୀତି ଓ UAPA ଜାରି କରାଯିବା ଉପରେ ବୈଠକରେ ସମୀକ୍ଷା ହେବ । ନିକଟରେ ଆତଙ୍କବାଦୀଙ୍କ ଆକ୍ରମଣରେ ଭାରତୀୟ ସେନାର 4 ଯବାନ ଶହୀଦ ହେବା ପରେ ଘାଟିରେ ସୁରକ୍ଷା ବଳର ମୁତୟନକୁ ବଢାଯିବା ସହ ଆତଙ୍କବାଦ ନିରୋଧୀ ଅପରେସନକୁ ମଧ୍ୟ ତ୍ବାରାନ୍ବିତ କରାଯାଇଛି । ଅନ୍ୟପଟେ ଘାଟିରେ ଆତଙ୍କୀ ଲିଙ୍କ ମାମଲାରେ ଗିରଫ ଅଭିଯୁକ୍ତଙ୍କ ସେନା କଷ୍ଟଡିରେ ମୃତ୍ୟୁ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ନିକଟରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଧ୍ୟ କାଶ୍ମୀର ଗସ୍ତ କରି ସୁରକ୍ଷା ସ୍ଥିତି ଯାଞ୍ଚ କରିଥିଲେ । କାଶ୍ମୀରରେ ଦଶନ୍ଧିରୁ ଥିବା ପାକିସ୍ତାନ ସମର୍ଥିତ ବିଛିନ୍ନତାବାଦୀ ସଂଗଠନ ‘ତେହେରିକ-ଏ ହୁରିୟତ’ କୁ ମଧ୍ୟ ଗତକାଲି କେନ୍ଦ୍ର ସରକାର ବ୍ୟାନ ଘୋଷଣା କରିଛନ୍ତି ।

2024 ସାଧାରଣ ନିର୍ବାଚନର ମାତ୍ର କେଇ ମାସ ପୂର୍ବରୁ କାଶ୍ମୀର ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାର ମୁଖ୍ୟସ୍ରୋତକୁ ଫେରିଛି । ଧାରା-370 ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ହୋଇଥିବା ମାମଲା ଖାରଜ ହୋଇସାରିଛି । ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ସର୍ବୋଚ୍ଚ ଅଦାଲତ ସଠିକ୍‌ ବୋଲି ରାୟ ଦେଇଛନ୍ତି । ଅନ୍ୟପଟେ ସଂସଦ ଶୀତ ଅଧିବେଶନରେ ମଧ୍ୟ ଜମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ) ଓ ପୁନର୍ଗଠନ (ସଂଶୋଧନ) ଅଧିନିୟମ ମଧ୍ୟ ପାରିତ ହୋଇସାରିଛି । କାଶ୍ମୀରରେ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ମଧ୍ୟ ହୋଇସାରିଛି । ଏଥିରେ ପାକ ଅଧିକୃତ କାଶ୍ମୀର (ପିଓକେ)କୁ ଭାରତର ଅବିଚ୍ଛେଦ୍ୟ ଅଂଶ ଭାବେ ବିଚାର କରି ସେଠାରେ ଆସନ ସଂରକ୍ଷିତ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ଜାପାନ ଭୂକମ୍ପ: ପ୍ରବାସୀ ଭାରତୀୟଙ୍କ ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ, ଜାରି ହେଲା ହେଲ୍ପଲାଇନ ନମ୍ବର

ସାଧାରଣ ନିର୍ବାଚନ ସହିତ କିମ୍ବା ଏହା ପରେ ଜମ୍ମୁ କାଶ୍ମୀରକୁ ରାଜ୍ୟପାହ୍ୟା ଫେରସ୍ତ ସହ କେନ୍ଦ୍ର ସରକାର ନିର୍ବାଚନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରି ସମ୍ବେଦନଶୀଳ ସମୟରେ ଘାଟିରେ ଆତଙ୍କୀ ଆକ୍ରମଣ ବୃଦ୍ଧି ଘଟଣାକୁ ଗମ୍ଭୀରତାର ସହ ନେଇଛି କେନ୍ଦ୍ର ସରକାର । ଘାଟିରେ ସେନାର ଉଚ୍ଚପଦସ୍ଥ ଅଧିକାରୀଙ୍କ ସ୍ତରରେ ମଧ୍ୟ ଅଦଳ ବଦଳ କରାଯାଇଛି । ଏବେ ଗୃହମନ୍ତ୍ରୀ ଶାହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details