ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Up Assembly Elections) ପୂର୍ବରୁ, ଦଳ ବଦଳ, ରଣନୀତି, ରାଲି, ବିକ୍ଷୋଭ ଓ ପ୍ରସ୍ତୁତି ଜୋରଦାର ହୋଇଛି । ଶୁକ୍ରବାର ଲକ୍ଷ୍ନୌରେ ଆୟୋଜିତ ନିଶାଦ ପାର୍ଟିର କାର୍ଯ୍ୟକ୍ରମ ‘ସରକାର ବନାଓ ଅଧିକାର ପାଓ’ ରାଲି (Nishad Party rally)ରେ ଯୋଗଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Union Home Minister Amit Shah) ।
ରାଲିରେ ଯୋଗଦେଇ ନିଜ ସମ୍ବୋଧନରେ ଅମିତ ଶାହା କହିଛନ୍ତି ମୋଦିଙ୍କ ବିକାଶ ଯୋଗୀଙ୍କ ଦମଦାର କାମ ପୁଣି ଥରେ ୟୁପିରେ ବିଜେପି (Bharatiya Janata Party)କୁ ପ୍ରଚଣ୍ଡ ବହୁମତ ମିଳିବ । ଦଳ ଗତ ଥରର ରେକର୍ଡ ଭାଙ୍ଗି ପୁଣି 3 ଶହ ପାର କରିବ । ଶାହା କହିଛନ୍ତି ଆଗାମୀ ୟୁପି ନିର୍ବାଚନରେ ବିଜେପି-ନିଶାଦ ପାର୍ଟି ମିଳିତ ଭାବେ ନିର୍ବାଚନ ଲଢିବେ । ନିଶାଦ ପାର୍ଟିର କର୍ମୀଙ୍କୁ ଆହ୍ବାନ ଦେଇ ଶାହା କହିଛନ୍ତି ୟୁପିର ଗଳି ଗଳି ଗାଁ ଗାଁ ଯାଇ ମୋଦିଙ୍କ ବିକାଶ ଗାଥା ପହଞ୍ଚାନ୍ତୁ । ସମାଜର ଅନ୍ତିମରୁ ଅନ୍ତିମ ସ୍ତରରେ ଥିବା ଲୋକଙ୍କ ପାଇଁ ମୋଦି କଣ କରିଛନ୍ତି ଓ କରୁଛନ୍ତି ଲୋକଙ୍କୁ ବୁଝାନ୍ତୁ । ଗତ 2017 ନିର୍ବାଚନରେ ମଧ୍ୟ ବିଜେପି- ନିଶାଦ ପାର୍ଟି ଗଠବନ୍ଧନ ଥିଲା । ଐତିହାସିକ ସଫଳତା ମିଳିଥିଲା । ଏଥର ପୁଣି ସେହି ସଫଳତା ମିଳିବାକୁ ଯାଉଛି ।
ସମାଜବାଦୀ ପାର୍ଟି (Samajbadi Party) ଓ ବହୁଜନ ସମାଜବାଦୀ ପାର୍ଟି (Bahujan Samajbadi Party) ଉପରେ ପ୍ରଚଣ୍ଡ ହମଲା କରି ଶାହା କହିଥିଲେ ଉଭୟ ଦଳ ୟୁପିକୁ ଦୀର୍ଘଦିନ ଧରି ଶାସନ କରିଥିଲେ । ହେଲେ କେବେ ଗରିବ ଘରେ ବିଜୁଳି, ଶୌଚାଳୟ, ଗ୍ୟାସ କି ଶିକ୍ଷା, ସ୍ବାସ୍ଥ୍ୟ ପହଞ୍ଚିନଥିଲା । ଯେଉଁ ରାଜ୍ୟରେ ମାଫିଆ, ଗୁଣ୍ଡାଙ୍କ ଶାସନ ଥିଲା ସେହି ରାଜ୍ୟରେ ଗରିବଙ୍କ କଥା ପଚାରେ କିଏ ? ଆମ ସରକାର ଆସିବା ପରେ ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପରେ ମାଫିଆ ରାଜ, ଗୁଣ୍ଡାଙ୍କ ସଫା ହୋଇଛି । ୟୁପିରେ ବିକାଶର ଗାଡି ଗଡୁଛି । ଗରିବ ଲୋକ ଆଜି ଆତ୍ମ ନିର୍ଭର ହେଉଛି । ଗରିବ ଲୋକ ଆଜି ନିଜ ପ୍ରଦେଶରେ କାମ ପାଇଁ ରୋଜଗାର କରୁଛି ।