ହାଇଦ୍ରାବାଦ: ତେଲେଙ୍ଗାନା ମୁନୁଗୋଡେ ଉପନିର୍ବାଚନ ନେଇ ଆରମ୍ଭ ହୋଇଛି ଜୋରଦାର ପ୍ରଚାର । ଏହି ନିର୍ବାଚନରେ ବିଜୟ ଲାଭ କରିବାକୁ ଶାସକ ଦଳ ଟିଆର୍ଏସ୍ ଓ ବିରୋଧୀ ବିଜେପି ନାନା କସରତ କରୁଛନ୍ତି । ଗତ ଶନିବାର ମୁନୁଗୋଡେରେ ଏକ ବିଶାଳ ସମାବେଶକୁ ସମ୍ବୋଧନ କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ଏହାପରେ ରବିବାର ତେଲେଙ୍ଗାନା ଆସିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ (Amit Shah Telengana Visit)।
ରବିବାର ଅମିତ ଶାହ ମୁନୁଗୋଡେରେ ବିଶାଳ ସମାବେଶରେ ଯୋଗ ଦେବେ(Amit Shah Munugode visit ) । ଏହାପରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍ ପଚାରିଥିବା ଅନେକ ପ୍ରଶ୍ନର ଉତ୍ତର ରଖିବେ ବୋଲି ଆଶା କରାଯାଉଛି(Amit shah to target TRS) । ଅମିତ ଶାହଙ୍କ ସମାବେଶରେ କଂଗ୍ରେସ ନେତା କେ. ରାଜଗୋପାଲ ରେଡି ବିଧିବଦ୍ଧ ଭାବରେ ବିଜେପିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ମୁନୁଗୋଡେରେ ସମାବେଶରେ ଲୋକଙ୍କୁ ସମ୍ବୋଧନ କରି କେନ୍ଦ୍ରକୁ ଟାର୍ଗେଟ କରିଥିଲେ କେସିଆର । ସେ କହିଥିଲେ, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗାନାକୁ ଅନୁଦାନ ଦେବାରେ ଅବହେଳା କରୁଛନ୍ତି । ସେହିଭଳି ପୃଥକ ରାଜ୍ୟ ହୋଇ ୮ ବର୍ଷ ପୂର୍ତ୍ତି ହୋଇଥିବା ବେଳେ କ୍ରୀଷ୍ଣା ନଦୀ ଜଳ ଭାଗବଣ୍ଟା ନେଇ କୌଣସି ନିଷ୍ପତ୍ତି ନେଉନାହାନ୍ତି କେନ୍ଦ୍ର ସରକାର ।"
ମୁନୁଗୋଡେ ଉପନିର୍ବାଚନ ସମ୍ମାନର ଲଢ଼େଇ ଭଳି ଦେଖୁଛି ବିଜେପି । ରାଜ୍ୟରେ TRSର ବିକଳ୍ପ ହେବାକୁ ଚେଷ୍ଟା କରୁଛି ବିଜେପି । ମୁନୁଗୋଡେ ଆସନ ହାତେଇ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ନିଜ ପ୍ରତିପତ୍ତି ଜାହିର କରିବାକୁ ଯୋଜନା କରିଛି । ବିଜେପିରେ ଯୋଗ ଦେବାକୁ ଥିବା କେ. ରାଜଗୋପାଲ ରେଡି ମୁନୁଗୋଡେ ଆସନରୁ ବିଜେପିର ପ୍ରାର୍ଥୀ ହେବେ ବୋଲି ଆଲୋଚନା ହେଉଛି । ତେବେ ଏହାକୁ ନେଇ ବିଜେପି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସେପଟେ TRS ଓ କଂଗ୍ରେସ ଦଳର ପ୍ରାର୍ଥୀ କିଏ ହେବ ତାହାକୁ ନେଇ ଛକାପଞ୍ଝା ଲାଗି ରହିଛି ।
ଏହାପୂର୍ବରୁ ଦୁବ୍ବକ ଓ ହଜୁରିବାଦ ଉପନିର୍ବାଚନରେ ଶାସକ ଦଳକୁ ପରାଜିତ କରି ଦମ୍ ଦେଖାଇ ସାରିଛି BJP । ସେହିଭଳି ଗତ ପୌର ନିର୍ବାଚନରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିଥିଲା । ତେଲେଙ୍ଗାନାରେ ପରିବାରବାଦ ରାଜନୀତିକୁ ନେଇ ସବୁବେଳେ ଶାସକ ଦଳକୁ ଟାର୍ଗେଟ କରି ଆସିଛି ବିଜେପି । ଦଳକୁ ଏହାର ଫାଇଦା ମଧ୍ୟ ହୋଇଛି । ୨୦୧୮ ନିର୍ବାଚନରେ ମୁନୁଗୋଡେ ଆସନରୁ TRS ପ୍ରାର୍ଥୀଙ୍କୁ ପରାଜିତ କରି କେ. ରାଜଗୋପାଲ ରେଡି ବିଜୟ ଲାଭ କରିଥିଲେ । ବର୍ତ୍ତମାନ କେ. ରାଜଗୋପାଲ ରେଡିଙ୍କୁ ମୈଦାନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି ।