ନୂଆଦିଲ୍ଲୀ:ଭାରତର ଜଳ ଓ ସ୍ଥଳସୀମା ସୁରକ୍ଷାରେ ଢିଲାପଣ ଆଦୌ ବରଦାସ୍ତ କରାଯିବ ନାହିଁ । ଦେଶରେ ନଗିରିକ ସୁରକ୍ଷା ହିଁ ପ୍ରକୃତ ତଥା ସଫଳ ଗଣତନ୍ତ୍ର । ନାଗରିକ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ହେଲେ ପ୍ରଥମେ ସୀମା ସୁରକ୍ଷାକୁ ସୁଦୃଢ କରିବାକୁ ପଡିବ । ଆଜି ଦିଲ୍ଲୀରେ ୫୧ତମ ପୋଲିସ ଗବେଷଣା ଓ ବିକାଶ ବ୍ୟୁରୋ (BPR&D)ସମାରୋହରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ନିଜ ଅଭିଭାଷଣରେ ଶାହ କହିଛନ୍ତି କେବଳ ନିର୍ବାଚନ କରାଇବା କିମ୍ବା କେବଳ ନିର୍ବାଚିତ ସରକାର ଗଠନ କରିବା ଉତ୍ତମ ଗଣତନ୍ତ୍ରର ପରିଚାୟକ ହୋଇ ନ ପାରେ । ଦେଶର ନାଗରିକ ସୁରକ୍ଷାକୁ ପ୍ରତିବଦ୍ଧତାର ପାଳନ କରିବା ଗଣତନ୍ତ୍ରର ପ୍ରାଥମିକତା ଅଟେ । ନାରଗିକ ସୁରକ୍ଷା ଦେଶର ଗଣତନ୍ତ୍ରର ପ୍ରଗତିର ସବୁଠୁ ବଡ ଉପାଦାନ ଯାହା ସୀମା ସୁରକ୍ଷା ବିନା ସମ୍ଭବପର ନୁହେଁ । ପୋଲିସ ଗବେଷଣା ଓ ବିକାଶ ବ୍ୟୁରୋ BPR&D ଦେଶରେ ନାଗରିକ ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି ।
ସେହିପରି ବର୍ତ୍ତମାନର ପୋଲିସ ସେବାକୁ ନେଇ ଶାହ ମଧ୍ୟ କିଛି ଗଠନମୂଳକ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି । ଶାହ କହିଛନ୍ତି ଜନତାଙ୍କ ମଧ୍ୟରେ ପୋଲିସ ସେବାକୁ ଆହୁରି ଗ୍ରହଣୀୟ କରାଇବାକୁ ପଡିବ । ପୋଲିସ ବ୍ୟବସ୍ଥାର ଭାବମୂର୍ତ୍ତି ମଧ୍ୟ ସୁଧାରିବାକୁ ପଡିବ । ପୋଲିସ ସେବା ଭାରତୀୟ ବ୍ୟବସ୍ଥାର ଏକ ଜରୁରୀ ବିଭାଗ । ପୋଲିସ ଅଧିକାରୀ ଓ କର୍ମଚାରୀମାନେ ବିନା ଛୁଟିରେ ସମାଜର ଜାଗ୍ରତପ୍ରହରୀ ଭାବେ କାର୍ଯ୍ୟ କରିଥାନ୍ତି । ବ୍ୟବସ୍ଥା ଓ ଆଇନ ଶୃଙ୍ଖଳାର ସମସ୍ତ ଅପ୍ରୀତିକର ପରିସ୍ଥିତି ମୁକାବିଲା ଭାର କେବଳ ପୋଲିସ ବିଭାଗ କାନ୍ଧରେ ହିଁ ନ୍ୟସ୍ତ ଥାଏ ।