ଗୌହାଟୀ: ଦୁଇ ଦିନିଆ ଆସାମ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି (ସୋମବାର) ଆସାମର ମାନକଚରରେ ଥିବା ଭାରତୀୟ ସୀମା ସୁରକ୍ଷା ବଳ (BSF)ର ଏକ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କରିଛନ୍ତି । ସେଠାରେ ସେ ଇଣ୍ଡୋ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଅନ୍ତର୍ଜାତୀୟ ସୀମାରେ ଭାରତୀୟ ସୀମା ସୁରକ୍ଷା ବଳ 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥାରେ ସର୍ବଦା ତତ୍ପର ରହିଛି । ଯେଉଁଥିପାଇଁ ଦେଶର ପ୍ରତ୍ୟେକ ନାଗରିକ ନିଜକୁ ସୁରକ୍ଷିତ ମନେ କରୁଛନ୍ତି ଏବଂ ସୁରକ୍ଷା ଉପରେ ଆତ୍ମବିଶ୍ୱାସୀ ରହିଛନ୍ତି ବୋଲି କହି BSFକୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ ଶାହ ।
ଗୃହମନ୍ତ୍ରୀ ଶାହଙ୍କ ସହ ପ୍ରଦେଶ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଏହି ପରିଦର୍ଶନରେ ଅଂଶଗ୍ରହଣ କରିଥିଲେ । ସୀମା ସୁରକ୍ଷା ବଳ ମହାନିର୍ଦ୍ଦେଶକ ପଙ୍କଜ କୁମାର ସିଂଙ୍କ ସହ ବିଏସଏଫ ହେଲିକପ୍ଟର ଯୋଗେ ଶାହ ଓ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ମାନକଚର ବିଏସଏଫ ପୋଷ୍ଟରେ ସୀମାରେ ପହଞ୍ଚିଥିଲେ । ବର୍ତ୍ତମାନ ସୀମାରେ ସୁରକ୍ଷା ସ୍ଥିତି, ସାମ୍ପ୍ରତିକ ଆହ୍ବାନ ଏବଂ ଏହାର ମୁକାବିଲା ପାଇଁ ରଣନୀତି ସମ୍ପର୍କରେ ବିଏସଫର ବରିଷ୍ଠ ଅଧିକାରୀ ଗୃହମନ୍ତ୍ରୀ ଶାହଙ୍କୁ ଅବଗତ କରିଥିଲେ । ସେହିପରି ଦୁଇ ଦେଶର ସେନା ସୀମାରେ ମିଳିତ ଭାବେ ଜାରି ରଖିଥିବା ପାଟ୍ରୋଲିଂ ବ୍ୟବସ୍ଥା ମଧ୍ୟ ନିରୀକ୍ଷଣ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ।