କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ 2 ଦିନିଆ କୋଲକାତା ଗସ୍ତରେ ରହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି କ୍ରମରେ ଶୁକ୍ରବାର ଶାହ କୋଲକାତାରେ ପଦ୍ମ ଭୂଷଣ ବିଜେତା ଶାସ୍ତ୍ରୀୟ କଣ୍ଠଶିଳ୍ପୀ ପଣ୍ଡିତ ଅଜୟ ଚକ୍ରବର୍ତ୍ତୀଙ୍କୁ ଭେଟିଛନ୍ତି । ପଣ୍ଡିତ ଅଜୟ ଚକ୍ରବର୍ତ୍ତୀ ଜଣେ ଭାରତୀୟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ । 2020 ରେ ତାଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା ।
ପଣ୍ଡିତ ଅଜୟ ଚକ୍ରବର୍ତ୍ତୀଙ୍କୁ ଭେଟିବା ପୂର୍ବରୁ ଶାହ କୋଲକାତାର ଦକ୍ଷିଣେଶ୍ବର କାଳୀ ମନ୍ଦିର ପରିଦର୍ଶନ କରିଥିଲେ । ଏହି ସମୟରେ ସେ ଆଧ୍ୟାତ୍ମିକ ତଥା ଧାର୍ମିକ ଜାଗରଣର କେନ୍ଦ୍ର ଥିବା ରାଜ୍ୟର ଗର୍ବକୁ ପୁନଃସ୍ଥାପନ କରିବା ପାଇଁ ଲୋକଙ୍କୁ ଦାୟିତ୍ବ ତୁଲାଇବାକୁ ଅପିଲ କରିଥିଲେ ।