ନୂଆଦିଲ୍ଲୀ: କ୍ୟାବିନେଟରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି ପାଇଁ କ୍ୟାବିନେଟରେ ଅନୁମୋଦନ ହୋଇଛି । ସେହିପରି ପେନସନଧାରୀ ମଧ୍ୟ ଏଥିରେ ବେଶ ଉପକୃତ ହେବେ । ପେନ୍ସନ୍ଭୋଗୀଙ୍କ ପାଇଁ ଡିଆର ବୃଦ୍ଧି କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏନେଇ ଗୃହମନ୍ତ୍ରୀ ଟ୍ବିଟ କରିଛନ୍ତି ।
କ୍ୟାବିନେଟ ବୈଠକରେ କେନ୍ଦ୍ର କର୍ମଚାରୀଙ୍କ ଭତ୍ତା 17% ରୁ 28%କୁ ବୃଦ୍ଧି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ବାରା ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ଶାହ । ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଟେକ୍ସଟାଇଲ ଏବଂ ପୋଷାକ ଉପରେ ଟିକସ ଛାଡ ଯୋଜନାର ଅବଧି ଜାନୁଆରୀ 1, 2021 ରୁ ମାର୍ଚ୍ଚ 31, 2024 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କ୍ୟାବିନେଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଭାରତୀୟ ଟେକ୍ସଟାଇଲ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ ।