କୋଲକାତା:ପଶ୍ଚିମବଙ୍ଗରେ ସରକାର ଭାଙ୍ଗିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ । ଆଜି ରାଜ୍ୟ ସଚିବାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରିବା ସମୟରେ ଏହି ଅଭିଯୋଗ ଉଠାଇ ଶାହ ଓ ବିଜେପି ଉପରେ ବର୍ଷିଛନ୍ତି ମମତା । ଶାହ କେଉଁ ଅଧିନିୟମ ବଳରେ ପଶ୍ଚିମବଙ୍ଗରେ ସରକାର ହଟାଇବା କଥା କହୁଛନ୍ତି ବୋଲି ମମତା ପ୍ରଶ୍ନ କରିଥିଲେ ।
ନିକଟରେ ଶାହ ପଶ୍ଚିମବଙ୍ଗ ଗସ୍ତ କରି ବୀରଭୂମରେ ଏକ ଦଳୀୟ ସମାବେଶକୁ ସମ୍ବୋଧିତ କିରଥିଲେ । ସମ୍ବୋଧନରେ ତୃଣମୂଳ କଂଗ୍ରେସ ସରକାରକୁ ଶାଣିତ ଆକ୍ରମଣ କରି ଶାହ କହିଥିଲେ, "2024 ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ରାଜ୍ୟରେ 35 ଲୋକସଭା ଆସନରେ ବିଜୟୀ ହେବାକୁ ଯାଉଛି । 2024 ଫଳାଫଳ ପରେ ମମତା ସରକାରର ପତନ ଆରମ୍ଭ ହୋଇଯିବ । ମମତା ସରକାର 5ବର୍ଷ ମଧ୍ୟ ପୂରଣ ମଧ୍ୟ କରିପାରିବ ନାହିଁ । 2025 ପୂର୍ବରୁ ବଙ୍ଗରେ ମମତା ସରକାରର ପତନ ଘଟି ସାରିଥିବ । ମମତା ବାନାର୍ଜୀ ଯେତେ ପ୍ରୟାସ କଲେ ମଧ୍ୟ 2025ରେ ପୁତୁରା ଅଭିଶେକ ବାନାର୍ଜୀଙ୍କୁ ପରବର୍ତ୍ତୀ ମୁଖ୍ଯମନ୍ତ୍ରୀ କରିପାରିବେ ନାହିଁ ।"
ତେବେ ଶାହଙ୍କ ଏପରି କଟାକ୍ଷପୂର୍ଣ୍ଣ ଚେତାବନୀ ପରେ ମମତା ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଛନ୍ତି । କହିଛନ୍ତି ଶାହ ସାମ୍ବିଧାନିକ ପରମ୍ପରାକୁ ଭାଙ୍ଗିଛନ୍ତି । ଯଦି ବିଜେପି ସାଧାରଣ ନିର୍ବାଚନରେ ବଙ୍ଗରେ 35 ଲୋକସଭା ଆସନରେ ବିଜୟୀ ହୁଏ ତଥାପି କିପରି ବଙ୍ଗରେ ସରକାର ଗଠନ କରିବ । ଶାହ ପଶ୍ଚିମବଙ୍ଗରେ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଥିବା ପାଲଟା ଅଭିଯୋଗ କରିଛନ୍ତି ମମତା । ଶାହ ଦେଶର ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗରେ କାର୍ଯ୍ୟ କରିବା ପରିବର୍ତ୍ତେ ରାଜନୈତିକ ଷଡ଼ଯନ୍ତ୍ର କରିବାରେ ଲାଗିଛନ୍ତି । ଏପରି ମନ୍ତବ୍ୟ ପରେ ସେ କେନ୍ଦ୍ର ଗୃହମନ୍ତ୍ରୀ ପଦରୁ ନୈତିକ ଇସ୍ତଫା ଦେଇଦେବା ଉଚିତ ବୋଲି ମମତା କହିଥିଲେ ।