ନୂଆଦିଲ୍ଲୀ:ପ୍ରକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ 8 ହଜାର କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ଆରବ ସାଗରରେ ସୃଷ୍ଟ ବାତ୍ୟା ‘ବିପର୍ଯ୍ୟୟ’ ମୁକାବିଲା ପ୍ରସ୍ତୁତି ନେଇ ସମୀକ୍ଷା ବୈଠକରେ ଶାହ ଏହି ଘୋଷଣା କରିଛନ୍ତି ।
ଏହି ଯୋଜନାରେ ମୋଟ 8 ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ସେଥିମଧ୍ୟରୁ 5 ହଜାର କୋଟି ବ୍ୟୟରେ ରାଜ୍ୟଗୁଡିକର ଅଗ୍ନିଶମ ବିଭାଗରେ ଭିତ୍ତିଭୂମି ସୁଦୃଢ କରାଯିବ । ସେହିପରି ଅଢେଇ ହଜାର କୋଟି ଟଙ୍କା 7ଟି ମହାନଗରରେ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ନିର୍ମାଣ କରିବାରେ ଖର୍ଚ୍ଚ ହେବ । ଏହି ମହାନଗର ତଲିକାରେ ମୁମ୍ବାଇ, ଚେନ୍ନାଇ, କୋଲକାତା ବେଙ୍ଗାଲୁରୁ, ହାଇଦ୍ରାବାଦ, ପୁଣେ ଓ ଅହମ୍ମଦାବାଦ ରହିଛି । ଏହି ମହାନଗରଗୁଡିକରେ ବର୍ଷା ଦିନେ ସହରି ବନ୍ୟା ସୃଷ୍ଟି ହେଉଛି । ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଡ୍ରେନଜ ସ୍ବରେଜ ବ୍ୟବସ୍ଥାରେ ପରିବର୍ତ୍ତନ ନଆସିବା ଫଳରେ ବର୍ଷା ଦିନେ କୃତ୍ରିମ ବନ୍ୟା ସୃଷ୍ଟି ହେଉଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ଏହି ଅର୍ଥରାଶି ଖର୍ଚ୍ଚ ହେବ । ସେହିପରି 825 କୋଟି 17 ଟି ଭୂସ୍ଖଳନ ପ୍ରବଣ ରାଜ୍ୟର ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ ହେବା ନେଇ ସୂଚନା ମିଳିଛି ।
ଗୃହମନ୍ତ୍ରୀ ଶାହ କହିଛନ୍ତି, ଗତ ନଅ ବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିପର୍ଯୟ ପରିଚାଳନା କ୍ଷେତ୍ରରେ ବେଶ ଭଲ ସଫଳତା ଅର୍ଜନ କରିଛନ୍ତି । ହେଲେ ବର୍ତ୍ତମାନ ସମୟରେ ବିପର୍ଯ୍ୟୟର ରୂପ ଓ ଏହାର ତୀବ୍ରତା ମଧ୍ୟ ବଦଳିବାରେ ଲାଗିଛି । ତେଣୁ ଏହି ଅନୁସାରେ ପ୍ରସ୍ତୁତି ମଧ୍ୟ ବଦଳାଇବାକୁ ପଡିବ । ସେହିପରି ଯେଉଁ ରାଜ୍ୟରେ ଆଣିବିକ ଶକ୍ତି କେନ୍ଦ୍ରଗୁଡିକ ପ୍ରତିଷ୍ଠା କରାଯାଇଛି, ସେମାନଙ୍କୁ ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ସ୍ଥିତି ସମୟରେ କଡାକଡି ପ୍ରୋଟୋକଲ ପାଳନ କରିବାକୁ ହେବ ବୋଲି ମଧ୍ୟ ଗୃହମନ୍ତ୍ରୀ ଶାହ କହିଛନ୍ତି ।