କୋଲକାତା:ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି । ଆହୁରି ଚାରୋଟି ପର୍ଯ୍ୟାୟରେ ନିର୍ବାଚନ ବାକି ରହିଛି । ଏହା ପୂର୍ବରୁ ପଶ୍ଚିମବଙ୍ଗ ଦଖଲ କରିବ ବିଜେପି । ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହେବେ ମମତା ବାନାର୍ଜୀ । ଆଉ ଏକଥା ଖୋଦ ମୁଖ୍ୟମନ୍ତ୍ରୀଙ୍କ ରଣନୀତିକାର ତଥା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ସ୍ବୀକାର କରିଥିବା ବିଜେପି ଦାବି କରିଛି ।
ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏକ ଅଡିଓ ଜାରି କରିଛି । ଯେଉଁଥିରେ ପ୍ରଶାନ୍ତ କିଶୋର କିଛି ସାମ୍ବାଦିକଙ୍କ ସହ କଥା ହେଉଥିବାର ଶୁଣିବାକୁ ମିଳିଛି । ଏଥର ପଶ୍ଚିମବଙ୍ଗରେ ବିଜେପି ଜିତିବ ବୋଲି ପ୍ରଶାନ୍ତ କହୁଥିବା ବିଜେପି କହିଛି । ବିଜେପି ଆଇଟି ସେଲର ମୁଖ୍ୟ ଅମିତମାଲବିୟା ଏକ ଆପର କିଛି ଅଡିଓ ଜାରି କରି ଏପରି ଦାବି କରିଛନ୍ତି ।
ଏହି ଅଡିଓ ଅନୁସାରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଟିଏମସି ବିରୁଦ୍ଧରେ ବିରୋଧ ହାୱା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ କ୍ରେଜ ରହିଛି । ଆଉ ଏଥର ଦଳିତ ଭୋଟ ମଧ୍ୟ ବିଜେପି ହାତେଇବ । ଟିଏମସି ଆଭ୍ୟନ୍ତରୀଣ ସର୍ଭେରେ ବିଜେପି ଜିତିବାରେ ଲାଗିଛି । ପଶ୍ଚିମବଙ୍ଗ ଜନତାଙ୍କ ଭୋଟ ମୋଦିଙ୍କ ପାଖକୁ , ଧ୍ରୁବିକରଣ ଏକ ବାସ୍ତବିକ ହୋଇଥିବାବେଳେ ଏସସି ଓ ମତୁଆ ବିଜେପି ସପକ୍ଷରେ ଭୋଟ ଦେଉଛନ୍ତି ବୋଲି ପ୍ରଶାନ୍ତ କିଶୋର କହୁଥିବା ନେଇ ବିଜେପି ଦାବି କରିଛି । ଏହା ସହ ପ୍ରଶାନ୍ତ କିଶୋର ମୋଦିଙ୍କ ପ୍ରଶଂସା କରି ବିଜେପିର ଶକ୍ତିକୁ ଆହୁରି ମଜଭୁତ କରିଛି ।