ନୂଆଦିଲ୍ଲୀ:ଲୋହିତ ସାଗରରେ ଦେଖାଦେଇଥିବା ସଙ୍କଟ ମଧ୍ୟରେ ଆସନ୍ତାକାଲି ଇରାନ ଗସ୍ତ କରିବାକୁ ଯାଉଛନ୍ତି ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର । ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ଉଚ୍ଚସ୍ତରୀୟ ଆଲୋଚନାର ଏକ ଅଂଶ ଭାବରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜୟଶଙ୍କର ଜାନୁଆରୀ 14 ଓ 15 ରେ ଦୁଇଦିନିଆ ଇରାନ ଗସ୍ତ କରିବାକୁ ଯାଉଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଜି (ଶନିବାର) କହିଛି ।
ଲୋହିତ ସାଗରରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ ନିକଟରେ ବୃଦ୍ଧି ପାଇଛି । ଯାହାକୁ ନେଇ ବିଭିନ୍ନ ଦେଶ ଚିନ୍ତା ପ୍ରକଟ କରିଛନ୍ତି । ଏନେଇ ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ତିକ୍ତତା ମଧ୍ୟ ବଢିଛି । ଭାରତ ସମେତ ଏକାଧିକ ଦେଶର ନୌସେନା ଲୋହିତ ସାଗରରେ ନିଜର ଅପରେସନକୁ ସକ୍ରିୟ କରିଛନ୍ତି । ଯୁଦ୍ଧ ଜାହାଜ ମଧ୍ୟ ବିଦ୍ରୋହୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । ଏହି ସମୟରେ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ଇରାନ ଗସ୍ତ କୂଟନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ୟେମେନର ଏହି ହୁତି ବିଦ୍ରୋହୀ ସଂଗଠନ ଇରାନ ଦ୍ୱାରା ସମର୍ଥିତ । ଏହି ଗସ୍ତରେ ଜୟଶଙ୍କର ନିଜ ପ୍ରତିପକ୍ଷ ତଥା ଇରାନର ବୈଦେଶିକ ମନ୍ତ୍ରୀ ହୋସେନ୍ ଆମୀର-ଅବଦୁଲ୍ଲାୟାନଙ୍କୁ ଭେଟି ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଭାରତ ଓ ଇରାନ ମଧ୍ୟରେ ରାଜନୈତିକ ସହଯୋଗ, ସଂଯୋଗୀକରଣ ପଦକ୍ଷେପ ଓ ଦୃଢ ଦ୍ବିପାକ୍ଷିକ ସମ୍ପର୍କର ଏକାଧିକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ଓ ମତ ବିନିମୟ ହେବ ।