ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଓ ରାଜନୀତି ଜାରି ରହିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଭର୍ତ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି ତିନି ସେନା । ଗତକାଲି 3 ସେନା ପକ୍ଷରୁ ମିଳିତ ପ୍ରେସମିଟରେ ଶୀଘ୍ର ପ୍ରକ୍ରିୟା ଆରମ୍ଭ ନେଇ ସୂଚନା ମିଳିଥିବା ବେଳେ ଆଜି ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିଛି ସ୍ଥଳସେନା । ଜୁଲାଇରୁ ପଞ୍ଜୀକରଣ ଆରମ୍ଭ ହେବ । ଆଶାୟୀ ପ୍ରାର୍ଥୀମାନେ ଭାରତୀୟ ସ୍ଥଳସେନାର ଅଫିସିଆଲ ଓ୍ବେବସାଇଟରେ ପଞ୍ଜୀକରଣ କରିପାରିବେ ।
ଜେନେରାଲ ଡ୍ୟୁଟି, ବୈଷୟିକ, ଟ୍ରେଡ୍ସମ୍ୟାନ ଆଦି ଏକାଧିକ ବର୍ଗର ପଦବୀ ପାଇଁ ଅଗ୍ନିବୀର ଚୟନ କରିବ ଭାରତୀୟ ସ୍ଥଳସେନା । ଏହି ସବୁ ପଦବୀ ପାଇଁ ଆବଶ୍ୟକ ଯୋଗ୍ୟତା ଆଧାରରେ ଭିନ୍ନଭିନ୍ନ ମାପଦଣ୍ଡ ମଧ୍ୟ ରହିଛି । ପଞ୍ଜୀକରଣ ପ୍ରକ୍ରିୟା ଶେଷ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ଆର୍ମି ରାଲି ଆୟୋଜନ କରାଯିବ । ଆବେଦନ ବା ପଞ୍ଜୀକରଣ କରିଥିବା ଛାତ୍ରମାନେ ରାଲି ମାଧ୍ୟମରେ ପରବର୍ତ୍ତୀ ପ୍ରକ୍ରିୟାର ସାମ୍ନା କରିବେ । ଯୋଗ୍ୟତା ଆଧାରେ ଚୟନ ହୋଇଥିବା ଛାତ୍ରମାନଙ୍କୁ ସେନାରେ ଭର୍ତ୍ତି କରିବା ସହ ତୁରନ୍ତ ପ୍ରଶିକ୍ଷଣ ପାଇଁ ପଠାଯିବ ।