ନୂଆଦିଲ୍ଲୀ:ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ମଣିପୁର ହିଂସା ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇଦିନ ତଳେ(18 ତାରିଖ)ରେ ସୋନିଆ ଓ ରାହୁଲଙ୍କ ସମେତ ଅନ୍ୟ କିଛି କଂଗ୍ରେସ ନେତା ବେଙ୍ଗାଲୁରୁ ବିରୋଧୀ ମହାମେଣ୍ଟ ବୈଠକରୁ ଅଂଶଗ୍ରହଣ କରି ଫେରିବା ବେଳେ ତାଙ୍କ ଚାଟାର୍ଡ ଫ୍ଲାଇଟ୍ କିଛି ଯାନ୍ତ୍ରିକ ତ୍ରୁଟି ଓ ପ୍ରତିକୂଳ ପାଗ କାରଣରୁ ଭୋପାଲରେ ଜରୁରୀ ଅବତରଣ କରିଥିଲା ।
ସେତେବେଳେ ସୋନିଆ କିମ୍ବା ରାହୁଲଙ୍କ ଅସୁସ୍ଥତା ନେଇ କୌଣସି ସୂଚନା ନଥିଲା । ହେଲେ ପରେ ରାହୁଲ ଉକ୍ତ ଦିନର ବିମାନ ଭିତରର ଏକ ଫଟୋ ଇନ୍ଷ୍ଟାଗ୍ରାମରେ ସେୟାର କରିବା ପରେ ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ସୋନିଆ ବିମାନରେ ଏକ ଅକ୍ସିଜେନ୍ ମାସ୍କ ପିନ୍ଧି ଯାତ୍ରା କୁରଥିବାର ଫଟୋ ସେୟାର କରିଥିଲେ ରାହୁଲ । ଜରୁରୀ ଅବତରଣ କାରଣରୁ ସୋନିଆ ସାମାନ୍ୟ ଅସୁସ୍ଥ ହୋଇପଡ଼ିଥିବା ସନ୍ଦେହ କରାଯାଉଥିଲା । ଏହି କାରଣରୁ ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଚାରି ବୁଝିଛନ୍ତି ।
ଆଜି ମୌସୁମୀ ଅଧିବେଶନର ପ୍ରଥମ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିିଆଙ୍କୁ ନିକଟକୁ ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଥିଲେ । ସେ ଠିକ୍ ଅଛନ୍ତି ବୋଲି ମଧ୍ୟ ସୋନିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିବା ସୂଚନା ମିଳିଛି । ମଣିପୁର ହିଂସା ପ୍ରସଙ୍ଗରେ କଂଗ୍ରେସ ସମେତ ତମାମ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟି ନତୃତ୍ବାଧୀନ କେନ୍ଦ୍ର ସରକାର ଉପରେ କ୍ଷୋଭବ୍ୟକ୍ତ କରି ଗୃହରେ ଅଚଳାବସ୍ଥା ସୃଷ୍ଟି କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ସୋନିଆଙ୍କ ମଧ୍ୟରେ ଏହି ସ୍ବଳ୍ପକାଳୀନ ସୌଜନ୍ୟମୂଳକ ବାର୍ତ୍ତାଳାପ ମଧ୍ୟ ହୋଇଛି ।