ଲକ୍ଷ୍ନୌ: ଫେସବୁକରେ ବନ୍ଧୁତ୍ବ କରିବା ପଡ଼ିଲା ଭାରି । ଠକାମୀର ଶିକାର ହେଲେ କାନପୁରର ପୂର୍ବତନ ଆଇଆଇଟି ଅଧିକାରୀ । 21 ଲକ୍ଷ ଟଙ୍କା ଠକିନେଲେ ଆମେରିକୀୟ ଠକ । ଜଡ଼ିବୁଟି ପଠାଇବା ନାଁରେ ପୂର୍ବତନ ଅଧିକାରୀଙ୍କୁ ଜାଲରେ ଫାସାଇଲେ ଫ୍ରଡ । ତେବେ ଏନେଇ ଅଧିକାରୀ ଜଣଙ୍କ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରୁଛି ପୋଲିସ । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ରାମ ନାଗର ବାସିନ୍ଦା ପୂର୍ବତନ ଆଇଆଇଟି ଅଧିକାରୀ ଅଭିଲାଶଙ୍କ ସହ ।
ସୂଚନା ଅନୁସାରେ, ଉତ୍ତରପ୍ରଦେଶର ବିଥୋର ଥାନା ଅଞ୍ଚଳ ରାମ ନାଗରର ବାସିନ୍ଦା ଅଭିଲାଶ ଜଣେ ପୂର୍ବତନ ଆଇଆଇଟି ଅଧିକାରୀ । ଗତ ନଭେମ୍ବର 23ରେ ସେ ଆମେରିକାର ଉତ୍ତର କାରୋଲିନାର ବାସିନ୍ଦା ଏମା ୱିଲସନଙ୍କ ସହ ଫେସବୁକରେ ବନ୍ଧୁତା ସ୍ଥାପନ କରିଥିଲେ । ବନ୍ଧୁତା ପରେ ହ୍ବାଟସ୍ଆପ୍ ମାଧ୍ୟମରେ କଥା ହେବା ଆରମ୍ଭ କରିଥିଲେ । ୱିଲସନ ନିଜକୁ ଜଣେ ଡାକ୍ତର ଭାବରେ ପରିଚୟ ଦେବା ସହ ତାଙ୍କ ଦାଦା ଷ୍ଟିଭ ଜଣେ ବୈଜ୍ଞାନିକ ବୋଲି କହିଥିଲା । ସେ କହିଥିଲେ ଯେ, ତାଙ୍କ ଦାଦାଙ୍କର ଏକ ଔଷଧ ପ୍ରସ୍ତୁତ କରାଯାଉଥିବା କମ୍ପାନୀ ଅଛି । ଏଥିପାଇଁ ସେ ଭାରତରୁ ଜଡିବୁଟି ଆମଦାନୀ କରନ୍ତି ।
ୱିଲସନ ଏବଂ ତାଙ୍କ ଦାଦା, ଅଭିଳାଶଙ୍କୁ ଏହି ହର୍ବାଲ କାରବାର ମାଧ୍ୟମରେ ଟଙ୍କା ରୋଜଗାର କରିବ ବୋଲି କହି ପ୍ରଲୋଭିତ କରିଥିଲେ । ଏନେଇ ୱିଲସନ, ଶାନ୍ତି ଶର୍ମା ନାମଙ୍କ ଜଣେ ବ୍ୟକ୍ତିଙ୍କ ଫୋନ ନମ୍ବର ଅଭିଳାଶଙ୍କ ପାଖକୁ ପଠାଇଥିଲେ । ଯିଏ ଅଭିଳାଶଙ୍କୁ ଜଡ଼ିବୁଟି ଦେବ । ଏହା ପରେ ଅଭିଳାଶ, ଶାନ୍ତିଙ୍କ ସହ ଯୋଗାଯୋଗ କରି ତାଙ୍କୁ 100 ଗ୍ରାମର ଏକ ପ୍ୟାକେଟ ଜଡିବୁଟି ପାଇଁ 80,000 ଟଙ୍କା ପଠାଇଥିଲେ । ଅଭିଳାଶ ଜଡ଼ିବୁଟି ପ୍ୟାକେଟ ଆଣିବା ପରେ ଷ୍ଟିଭଙ୍କୁ ସେହି ପ୍ୟାକେଟର ଫଟୋ ପଠାଇଥିଲେ । ପରେ ଷ୍ଟିଭ ଏହିଭଳି 200 ପ୍ୟାକେଟ ଅର୍ଡର କରିବାକୁ ଅଭିଳାଶଙ୍କୁ କହିଥିଲେ । ପରେ ଜଡ଼ିବୁଟି ପାଇଁ ଅଭିଳାଶ ପୁଣିଥରେ ଶାନ୍ତିଙ୍କ ସହ ଯୋଗାଯୋଗ କରିଥିଲେ । ସେପଟେ ଏଥିପାଇଁ ଶାନ୍ତି 5 ଲକ୍ଷ ଟଙ୍କା ମାଗିଥିଲେ । ପରେ ଅଭିଳାଶ ତାଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ଶାନ୍ତି ଦେଇଥିବା ଉମେଶ ଏଣ୍ଟରପ୍ରାଇଜେସ୍ ନାମକ ଏକ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ ।