ବେଙ୍ଗାଲୁରୁ:ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ ବେଳେ ଆମ୍ବୁଲାନ୍ସ ଫସିରହିବା ଘଟଣା ସାମ୍ନାକୁ ଆସିଛି । ବେଙ୍ଗାଲୁରୁ ସହରର ଜୟନଗର ମେଟ୍ରୋ ଷ୍ଟେସନ ଅଞ୍ଚଳରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପାଇଁ ପୋଲିସ ଲଗାଇଥିବା ବାରିକେଡ ମଧ୍ୟରେ ଦୁଇଟି ଆମ୍ବୁଲାନ୍ସ ଫସି ରହିଥିଲା । ବେଶ କିଛି ସମୟ ଧରି ଆମ୍ବୁଲାନ୍ସ ସାଇରନ ମାରିବା ସହ ଭିଡ ଭିତରେ ଫସି ରହିଥିବା ଦେଖିବାକୁ ମିଳିଥିଲା । ସେଠାରେ ପୋଲିସ କର୍ମୀ ଓ ଟ୍ରାଫିକ୍ ପୋଲିସ ଥିଲେ ସୁଦ୍ଧା ଭିଡ ମଧ୍ୟରୁ ଆମ୍ବୁଲାନ୍ସ ବାହାର କରିବା ପାଇଁ ପ୍ରୟାସ କରାଯାଇନଥିବା ଦେଖିବାକୁ ମିଳିଛି । ଭିଡିଓକୁ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟ୍ବିଟ କରି ବିଜେପି ଉପରେ ବର୍ଷିଛନ୍ତି ।
ସୂଚନା ଅନୁସାରେ, ଆମ୍ବୁଲାନ୍ସ ପ୍ରାୟ 10 ମିନିଟ ଧରି ଅଟକି ରହିଥିଲା । ସାଇରନ ମାରୁଥିଲେ ସୁଦ୍ଧା ଟ୍ରାଫିକ ପୋଲିସ ଆମ୍ବୁଲାନ୍ସକୁ ଭିଡରୁ ବାହାର କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ଅନ୍ୟପଟେ ପ୍ରଧାମନ୍ତ୍ରୀଙ୍କ ପାଇଁ ସିଲ ହୋଇଥିବା ମୁଖ୍ୟରାସ୍ତାକୁ ସଂଯୋଗ କୁରଥିବା ରାସ୍ତାରେ ପୂର୍ବରୁ ବାରିକେଡ ଲାଗିଥିବା ବେଳେ ଅନ୍ୟ ଗାଡିଗୁଡିକ ମଧ୍ୟ ଅଟକି ରହିଥିଲେ । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଭିଡିଓକୁ ଟ୍ବିଟ କରି ବିଜେପିକୁ ଟାର୍ଗେଟ କରିଛନ୍ତି । ଏପରି ଘଟଣା ପାଇଁ ପ୍ରଧାନମନ୍ତ୍ରୀ ଲଜ୍ଜା ଅନୁଭବ କରିବା ଉଚିତ ବୋଲି ଜୟରାମ ରମେଶ ଟ୍ବିଟ କରିଛନ୍ତି ।