ଶ୍ରୀନଗର:ପ୍ରସିଦ୍ଧ ଅମରନାଥ ଯାତ୍ରା ଜାରି ରହିଥିବାବେଳେ ପ୍ରତିକୂଳ ପାଗ ସାଜିଛି ବାଧକ । ଆଜି କ୍ରମାଗତ ଦ୍ବିତୀୟ ଦିନ ପାଇଁ ଯାତ୍ରାକୁ ସ୍ଥଗିତ ରଖିଛି ଜମ୍ମୁ କାଶ୍ମୀର ପ୍ରଶାସନ । ଗତକାଲି ଖରାପ ପାଗ ପାଇଁ ଯାତ୍ରା ବନ୍ଦ ରହିଥିଲା । ତେବେ ଆଜି ପାଗରେ ସୁଧାର ନଆସିବାରୁ ଯାତ୍ରାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି ।
ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି, ଖରାପ ପାଗରେ ଯାତ୍ରା କରିବା ଶ୍ରଦ୍ଧାଳୁଙ୍କ ପାଇଁ ସମ୍ଭବପର ନୁହେଁ । ତେଣୁ ପାଗ ଉପରେ ନଜର ରଖାଯାଇଛି । ସୁଧାର ଆସିଲେ ଯାତ୍ରାକୁ ପୁଣି ଆରମ୍ଭ କରାଯିବା ନେଇ ଚିନ୍ତା କରାଯିବ । ଆଜି ଅପରାହ୍ନ ସୁଦ୍ଧା ପାଗରେ ସୁଧାର ଆସିବା ନେଇ ଆଶା କରାଯାଉଛି । ଏପରି ହେଲେ ଆସନ୍ତାକାଲି ଯାତ୍ରା ପୁଣି ସ୍ବାଭାବିକ ହୋଇପାରେ ।