ହାଇଦ୍ରାବାଦ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ଓ ମାଳଦ୍ବୀପର ପ୍ରତିକ୍ରିୟା ପରେ ଏବେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି ଲାକ୍ଷାଦ୍ବୀପ । ପର୍ଯ୍ୟଟକଙ୍କ ଆଗ୍ରହ ଓ ଚାହିଦାକୁ ଦେଖି ଲାକ୍ଷାଦ୍ବୀପକୁ ଅଧିକ ବିମାନ ଉଡାଇବା ପାଇଁ ଘୋଷଣା କରିଛି ଆଲିଆନ୍ସ ଏୟାରଲାଇନ୍ସ । ଏହି ଏୟାରଲାଇନ୍ସ ଏକମାତ୍ର ବିମାନ କମ୍ପାନୀ ଭାବେ ଲାକ୍ଷାଦ୍ବୀପକୁ ଉଡାଣ ସେବା ଯୋଗାଇ ଆସୁଛି । ଏବେ କମ୍ପାନୀ କୋଚିରୁ ଲାକ୍ଷାଦ୍ବୀପର ଅଗାତି ମଧ୍ୟରେ ସପ୍ତାହରେ ଦୁଇଟି ଅତିରିକ୍ତ ବିମାନ ଉଡାଣ କରିବ ।
ଆଜି କମ୍ପାନୀ ଏହି ଘୋଷଣା ଏକ୍ସ ମାଧ୍ୟମରେ କରିଛି । ସପ୍ତାହରେ ଦୁଇଦିନ (ବୁଧବାର ଓ ରବିବାର)ରେ ଦୁଇଟି ବିମାନ କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ ଭରି ଅଗାତିରେ ଅବତରଣ କରିବ ଓ ପରେ ପୁଣି କୋଚି ଫେରିବ । ଏହି ସେବା କେବଳ ପର୍ଯ୍ୟଟନ ଋତୁ ପାଇଁ କମ୍ପାନୀ ଘୋଷଣା କରିଛି । ଏହି ସେବା ଚଳିତ 21 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 27 ପର୍ଯ୍ୟନ୍ତ ଜାରି ରହିବା ନେଇ ଏୟାର ଲାଇନ୍ସ କହିଛି । ଅନ୍ୟପଟେ ଏହି ଏହି କମ୍ପାନୀ ଦୈନିକ ଗୋଟିଏ 70 ସିଟର ବିମାନ କୋଚିରୁ ଅଗାତିକୁ ଉଡାଣ କରୁଛି । ଏବେ ଆଉ ଦୁଇ ବିମାନ ଉଡାଣ ସୂଚୀରେ ଯୋଡି ହେବାକୁ ଯାଉଛି । ଏହା ପୂର୍ବରୁ ଦେଶର ଅନ୍ୟତମ ବଜେଟ ଏୟାରଲାଇନ୍ସ ‘ସ୍ପାଇସଜେଟ’ ମଧ୍ୟ ଲାକ୍ଷାଦ୍ବୀପକୁ ଦୁଇଟି ବିମାନ ଉଡାଣ ଆରମ୍ଭ କରିବା ପାଇଁ ଘୋଷଣା କରିଛି । ଏହି ସେବା କେନ୍ଦ୍ର ସରକାରଙ୍କ ‘ଉଡାଣ’ ଯୋଜନା ଅଧୀନରେ ହେବା ନେଇ କମ୍ପାନୀ ଘୋଷଣା କରିଛି ।