ଲକ୍ଷ୍ନୌ:ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ମାମଲାର ରାୟ ପ୍ରକାଶ ପାଇଛି । ବାରଣାସୀ ଜିଲ୍ଲା କୋର୍ଟଙ୍କ ରାୟ କାଏମ ରଖିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଉତ୍ତରପ୍ରଦେଶ ସ୍ଥିତ ଜ୍ଞାନବ୍ୟାପୀ ମସଜିଦ କମ୍ପ୍ଲେକ୍ସରେ ଏଏସଆଇ ସର୍ବେକ୍ଷଣ ହେବ । ଅଞ୍ଜୁମନ ଇନ୍ତେଜାମିଆ କମିଟିର ଆବେଦନକୁ ଖାରଜ କରି ମସଜିଦ ପରିସରରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ (ASI) ଦ୍ବାରା ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟ ଅନୁମତି ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଏଏସଆଇ ସର୍ଭେ କରାଯିବା ଜରୁରୀ । କିଛି ସର୍ତ୍ତ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି । ଏହାପୂର୍ବରୁ ଜୁଲାଇ ୨୧ରେ ଜିଲ୍ଲା କୋର୍ଟ ସର୍ବେକ୍ଷଣ ପାଇଁ ଅନୁମତି ଦେଇଥିଲେ ।
ବାରଣାସୀ କୋର୍ଟଙ୍କ ଅନୁମତି ପରେ ଜୁଲାଇ ୨୪ ତାରିଖ ସକାଳେ ଏଏସଆଇ ଟିମ୍ ଜ୍ଞାନବ୍ୟାପୀ ମସଜିଦରେ ପହଞ୍ଚି ସାଇଣ୍ଟିଫିକ ସର୍ଭେ ଆରମ୍ଭ କରିଥିଲେ । ଏଥିରେ ପ୍ରାୟ ୪୦ ଜଣିଆ ଟିମ୍ ସାମିଲ ହୋଇଥିଲେ । ମନ୍ଦିର ଉପରେ ଏହି ମସଜିଦ ନିର୍ମାଣ ହୋଇଛି କି ନାହିଁ ତାହା ଜାଣିବାକୁ ସର୍ଭେ କରାଯାଇଥିଲା ଏବଂ ଅଗଷ୍ଟ ୪ରେ ବାରଣାସୀ କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କରିବାର ଥିଲା । ହେଲେ ଏହି ସର୍ଭେ ହେବା ଫଳରେ ମସଜିଦ କମ୍ପ୍ଲେକ୍ସ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ମୁସଲିମ ପକ୍ଷ । ଏହାପରେ ସର୍ବୋଚ୍ଚ ଅଲଦାତ ଜୁଲାଇ ୨୪ ତାରିଖରେ (ସର୍ଭେ ଆରମ୍ଭ ଦିନ) ଏଏସଆଇ ସର୍ଭେ ଉପରେ ୨୬ ତାରିଖ ସନ୍ଧ୍ୟା ଯାଏଁ ରୋକ୍ ଲଗାଇବା ସହ ଆହ୍ଲାବାଦ ହାଇକୋର୍ଟଙ୍କୁ ମାମଲାର ଶୁଣାଣି ପାଇଁ କହିଥିଲେ ।