ଓଡିଶା

odisha

ETV Bharat / bharat

Manipur Violence: ଆଜିଠୁ ମଣିପୁରରେ ଖୋଲିବ ସ୍କୁଲ - ମଣିପୁର ହିଂସା

ଆଜିଠୁ ହିଂସା ପ୍ରଭାବିତ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଖୋଲିବ ସ୍କୁଲ । ଘୋଷଣା କଲେ ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

ମଣିପୁରରେ ଖୋଲିବ ସ୍କୁଲ
ମଣିପୁରରେ ଖୋଲିବ ସ୍କୁଲ

By ETV Bharat Odisha Team

Published : Oct 6, 2023, 7:40 AM IST

ଇମ୍ଫାଲ: ଆଜିଠୁ ହିଂସାଗ୍ରସ୍ତ ମଣିପୁରରେ ଖୋଲିବ ସ୍କୁଲ୍‌ । ରାଜ୍ୟରେ ସମସ୍ତ ସରକାରୀ ସ୍କୁଲ, ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ଓ ବେସରକାରୀ ସ୍କୁଲ ଖୋଲିବ । ଏନେଇ ଗତକାଲି(ଗୁରୁବାର) ମଣିପୁର ସରକାର ଘୋଷଣା କରିଛନ୍ତି । ରାଜଧାନୀ ଇମ୍ଫାଲରେ ହିଂସାତ୍ମକ ଆନ୍ଦୋଳନ ପରେ ସରକାର ସେପ୍ଟେମ୍ବର ୨୭ ଓ ୨୯ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜିଠୁ ପୁଣି ସବୁ ସ୍କୁଲ ଖୋଲିବା ନେଇ ରାଜ୍ୟ ଶିକ୍ଷା ବିଭାଗ ନିର୍ଦ୍ଦେଶକ ନନ୍ଦା କୁମାର ସିଂହଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଚଳିତ ବର୍ଷ ମେ' ୩ରୁ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ସାମ୍ପ୍ରଦାୟିକ ହିଂସା ସୂତ୍ରପାତ ହେବା ପରଠୁ ଏଠାରେ ସମସ୍ତ ସ୍କୁଲ ଗୁଡିକୁ ବନ୍ଦ କରାଯାଇଥିଲା । କିଛି ମାସର ବନ୍ଦ ପରେ ଗତ ଜୁଲାଇରେ ପୁଣିଥରେ ସାରା ରାଜ୍ୟରେ ସ୍କୁଲ୍‌ ଖୋଲା ଯାଇଥିଲା । ହେଲେ ମୈତି ସମ୍ପ୍ରଦାୟର ଦୁଇ ଛାତ୍ରଙ୍କୁ ହତ୍ୟା ଘଟଣାକୁ ନେଇ ଇମ୍ଫାଲରେ ବ୍ୟାପକ ହିଂସାତ୍ମକ ଆନ୍ଦୋଳନ ପ୍ରଦର୍ଶନ କରାଯିବାରୁ ସ୍କୁଲଗୁଡିକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ୨ ଛାତ୍ରଙ୍କ ହତ୍ୟା ପରେ ମଣିପୁରରେ ତେଜିଲା ହିଂସା; ପୁଣି ଇଣ୍ଟରନେଟ ସେବା ବନ୍ଦ

ସମ୍ପୃକ୍ତ ଦୁଇ ଛାତ୍ର ଜୁଲାଇରୁ ନିଖୋଜ ଥିବାବେଳେ କିଛି ଦିନ ତଳେ ସୋସିଆଲ ମିଡିଆରେ ଦୁହିଁଙ୍କ ହତ୍ୟା ଫଟୋ ଭାଇରାଲ ହୋଇଥିଲା । ଛାତ୍ରଙ୍କ ହତ୍ୟାକୁ ନେଇ ପୁଣି ରାଜ୍ୟରେ ହିଂସା ତେଜିଥିଲା । ଏହାର ପ୍ରତିବାଦରେ ଶତାଧିକ ଛାତ୍ର ଇମ୍ଫାଲରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ଥିତିକୁ ଉଗ୍ର ରୂପ ନେଉଥିବାର ଦେଖି ରାଜ୍ୟରେ ସ୍କୁଲ ବନ୍ଦ କରାଯିବା ସହ ଇଣ୍ଟରନେଟ୍‌ ସେବା ମଧ୍ୟ ଅଚଳ କରିଦିଆଯାଇଥିଲା । ତେବେ ଆଜିଠୁ ରାଜ୍ୟରେ ପୁଣି ସ୍କୁଲ ଖୋଲିବାକୁ ଯାଉଥିବା ବେଳେ ଗତକାଲି(ଗୁରୁବାର) ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ସାନି ହିଂସାକାଣ୍ଡ ପ୍ରକାଶ ପାଇଛି । କିଛି ଉପଦ୍ରବୀ ଦୁଇଟି ଘର ଜାଳିଦେବା ସହ ଗୁଳିମାଡ଼ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ମଣିପୁରରେ ମେ' ୩ରେ ମୈତି ସମୁଦାୟର ଅନୁସୂଚିତ ଜନଜାତି ମାନ୍ୟତା ଦାବି ବିରୋଧରେ ଏକ ଶୋଭାଯାତ୍ରା ଚାଲିଥିବା ବେଳେ ହିଂସାର ସୂତ୍ରପାତ ହୋଇଥିଲା । ଏବେସୁଦ୍ଧା ଏହି ସାମ୍ପ୍ରଦାୟିକ ହିଂସାରେ ୧୭୫ ଜଣଙ୍କ ମୃତ୍ୟୁ ହୋଇଛି । ଶତାଧିକ ଲୋକେ ଆହତ ହୋଇଥିବା ବେଳେ ହଜାର ହଜାର ଘରକୁ ଜାଳି ଦିଆଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶତ ଚେଷ୍ଟା ସତ୍ତ୍ବେ ଏହି ପାହାଡ଼ିଆ ରାଜ୍ୟରେ ଶାନ୍ତି ଫେରି ପାରୁନି ।

ABOUT THE AUTHOR

...view details