ଓଡିଶା

odisha

By

Published : Mar 14, 2023, 5:31 PM IST

ETV Bharat / bharat

ଉତ୍ତରାଖଣ୍ଡ ବିଧାନସଭାରେ ହଟ୍ଟଗୋଳ: ଗୋଟିଏ ଦିନ ପାଇଁ ସମସ୍ତ କଂଗ୍ରେସ ବିଧାୟକ ନିଲମ୍ବିତ

ଉତ୍ତରାଖଣ୍ଡ ବିଧାନସଭାରେ ହଟ୍ଟଗୋଳ କରି ନିଲମ୍ବିତ ହେଲେ ସମସ୍ତ କଂଗ୍ରେସ ବିଧାୟକ । ଗୋଟିଏ ଦିନ ପାଇଁ ନିଲମ୍ବିତ କଲେ ବାଚସ୍ପତି ରିତୁ ଖାଣ୍ଡୁରୀ । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡ ବିଧାନସଭାରେ ହଟ୍ଟଗୋଳ: ଗୋଟିଏ ଦିନ ପାଇଁ ସମସ୍ତ କଂଗ୍ରେସ ବିଧାୟକ ନିଲମ୍ବିତ
ଉତ୍ତରାଖଣ୍ଡ ବିଧାନସଭାରେ ହଟ୍ଟଗୋଳ: ଗୋଟିଏ ଦିନ ପାଇଁ ସମସ୍ତ କଂଗ୍ରେସ ବିଧାୟକ ନିଲମ୍ବିତ

ଡେରାଡୁନ:ଉତ୍ତରାଖଣ୍ଡ ବିଧାନସଭାରେ ହଟ୍ଟଗୋଳ କରିବା ଓ ଗୃହ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି କରିବା କାରଣରୁ ସମସ୍ତ କଂଗ୍ରେସ ବିଧାୟକଙ୍କୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରିଛନ୍ତି ବାଚସ୍ପତି ରିତୁ ଖାଣ୍ଡୁରୀ । ଜାରି ରହିଥିବା ବଜେଟ ଅଧିବେଶନର ଦ୍ବିତୀୟ ଦିବସରେ ଗୃହରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ବିଧାୟକ । ଗୃହ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଗୃହକୁ ଅପରାହ୍ନ 3ଟା ଯାଏ ମୁଲତବୀ ଘୋଷଣା କରିବା ସହ ସମସ୍ତ କଂଗ୍ରେସ ବିଧାୟକଙ୍କୁ ଗୋଟିଏ ଦିନ ପାଇଁ ନିଲମ୍ବିନ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ଖାଣ୍ଡୁରୀ ।

ଆଜି (ମଙ୍ଗଳବାର) ଗୃହରେ ଏକାଧିକ ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ସଦସ୍ୟମାନେ ପୁଷ୍କର ସିଂ ଧାମୀ ସରକାରକୁ ଘେରିଥିଲେ । ଚର୍ଚ୍ଚା ବେଳେ ପ୍ରବଳ ହୋହାଲ୍ଲା ଓ ହଟ୍ଟଗୋଳ ମଧ୍ୟ ହୋଇଥିଲା । ଗୃହରେ ସେକେଣ୍ଡ ପ୍ରୋସେଡିଂ ଆରମ୍ଭ ହେବା ପରେ କଂଗ୍ରେସ ସଦସ୍ୟମାନେ ଧାରଣାରେ ବସିବା ସହ ନାରାବାଜୀ କରିଥିଲେ । ରାଜ୍ୟର ଆଖୁ ଚାଷୀଙ୍କୁ ଏମଏସପି ପ୍ରଦାନ ପ୍ରସଙ୍ଗରେ ସେମାନେ ସରକାରକୁ ଘେରିଥିଲେ । ବାଚସ୍ପତିଙ୍କ ପୋଡିଅମ ଆଡକୁ କାଗଜ ଗୁଳା ମଧ୍ୟ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା । ଜସପୁର ବିଧାୟକ ଆଣିଥିବା ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଥିବା ବେଳେ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ ଓ ନାରାବାଜୀ କରିଥିଲେ । ଗୃହ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।

ବାଚସ୍ପତି ରିତୁ ଖାଣ୍ଡୁରୀ କଂଗ୍ରେସ ବିଧାୟକମାନଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗୋଟିଏ ଦିନ ପାଇଁ ସମସ୍ତ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବିତ କରାଯାଇଛି । ଏହା ସହ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ବାଚସ୍ପତିଙ୍କ ନିଷ୍ପତ୍ତିକୁ କଂଗ୍ରେସ ବିଧାୟକମାନେ ମଧ୍ୟ ବିରୋଧ କରିଥିଲେ । ନିଲମ୍ବନ ଆଦେଶ ପ୍ରତିବାଦରେ ଧାରଣା ମଧ୍ୟ ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ଶାସକ ବିଜେପି କଂଗ୍ରେସ ସଦସ୍ୟଙ୍କ ଏପରି ବ୍ୟବହାରକୁ ସମାଲୋଚନା କରିବା ସହ ଦୁର୍ଭାଗ୍ୟଜନକ ବୋଲି କହିଛି । ବାଚସ୍ପତିଙ୍କ ଆସନ ଉପରେ କାଗଜ ଗୁଳା ଫିଙ୍ଗିବାକୁ ଶାସକ ଦଳ ନିନ୍ଦା ମଧ୍ୟ କରିଛି । ସମସ୍ତ କଂଗ୍ରେସ ସଦସ୍ୟଙ୍କୁ ଏକକାଳୀନ ଗୃହରୁ ନିଲମ୍ବିତ କରିବାରେ ଏହା ଉତ୍ତରାଖଣ୍ଡ ରାଜନୀତିରେ ପ୍ରଥମ ଘଟଣା ମଧ୍ୟ । ସ୍ଥିତି ଅଣାୟତ ହେବା ସହ ଗୃହ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଏବେ ଉତ୍ତରାଖଣ୍ଡରେ ବିଧାନସଭାର ବଜେଟ ଅଧିବେଶନ ଜାରି ରହିଛି । ଆଜି ଅଧିବେଶନର ଦ୍ବିତୀୟ ଦିବସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details