ଥିରୁଅନନ୍ତପୁର:କେରଳ ଟ୍ରେନ ଅଗ୍ନିକାଣ୍ଡ ଘଟଣା । ମହାରାଷ୍ଟ୍ରରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ମହାରାଷ୍ଟ୍ର ଆତଙ୍କବାଦ ନିରୋଧି ସ୍କ୍ବାର୍ଡ ଏବଂ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସର ମିଳିତ ଟିମ୍ ମଙ୍ଗଳବାର ରାତିରେ ଟ୍ରେନ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ମହାରାଷ୍ଟ୍ର ରତ୍ନଗିରିରୁ ଗିରଫ କରିଛନ୍ତି । ଅଭିଯୁକ୍ତର ନାମ ଶାହାରୁଖ ସୈଫ୍ ବୋଲି ଚିହ୍ନଟ ହୋଇଛି । କେରଳ ପୋଲିସ ଦ୍ବାରା ଜାରି ସ୍କେଚ୍ ସାହାଯ୍ୟରେ ତାକୁ ଗିରଫ କରାଯାଇଛି । ଏପ୍ରିଲ ୨ ତାରିଖ ରାତିରେ ସେ ଆଲାପ୍ପୁଝା-କନ୍ନୁର ଏକ୍ସପ୍ରେସ ଟ୍ରେନରେ ନିଜର ସହଯାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ।
ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ କେରଳ ପୋଲିସ ରତ୍ନଗିରିରେ ପହଞ୍ଚିଛି । ଖୁବଶୀଘ୍ର ଅଭିଯୁକ୍ତକୁ କେରଳ ପୋଲିସକୁ ହସ୍ତାନ୍ତର କରାଯିବ । ସେପଟେ ମଙ୍ଗଳବାର ଜାତୀୟ ତଦନ୍ତ ଏଜେନ୍ସି କନ୍ନୁର ରେଳ ଷ୍ଟେସନଠାରେ ଆଲାପ୍ପୁଝା-କନ୍ନୁର ଏକ୍ସପ୍ରେସ ଟ୍ରେନର ଯାଞ୍ଚ କରି ଫେରନ୍ସିକ ପ୍ରମାଣ ସଂଗ୍ରହ କରିଛି । ଗତ ରବିବାର ରାତି ପ୍ରାୟ ୯ଟା ୭ ମିନିଟ୍ ସମୟରେ ଅଭିଯୁକ୍ତ ଆଲାପ୍ପୁଝା-କନ୍ନୁର ଏକ୍ସପ୍ରେସ ଟ୍ରେନରେ ବର୍ବର କାଣ୍ଡ ଘଟାଇଥିଲା । ଚଳନ୍ତା ଟ୍ରେନରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ।