ନୂଆଦିଲ୍ଲୀ:ପାକିସ୍ତାନୀ ଆତଙ୍କୀବାଦୀ ସଂଗଠନ ଅଲ-କାଏଦା ସହ ସମ୍ପୃକ୍ତି ଓ ଦେଶରେ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆତଙ୍କବାଦୀ ଅବଦୁର ରେହେମାନକୁ ସାଢେ ସାତ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଆଜି (ମଙ୍ଗଳବାର) ଦିଲ୍ଲୀ ପଟିଆଲା ହାଉସକୋର୍ଟ ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି । ପାକିସ୍ତାନ ଗସ୍ତ କରି ଆତଙ୍କବାଦୀଙ୍କୁ ସାକ୍ଷାତ କରିବା ଓ ଭାରତ ଫେରି ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ରହିବା ଅଭିଯୋଗରେ ରେହେମାନକୁ 2015 ଡିସେମ୍ବର 16 ତାରିଖରେ କଟକ ଜଗତପୁରରୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା ।
ଚଳିତମାସ (ଫେବୃଆରୀ) 10 ତାରିଖରେ ହୋଇଥିବା ଶୁଣାଣିରେ ଅବଦୁରକୁୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଆଜି ଦଣ୍ଡ ଘୋଷଣା ହୋଇଛି । ଆଇନ ବିରୋଧୀ କାର୍ଯ୍ୟକଳାପ ନିରୋଧୀ ଅଧିନିୟମ (UAPA) ରେ ଅବଦୁର ସମେତ 4 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ସାଢେ 7ବର୍ଷ ଜେଲ ଦଣ୍ଡାଦେଶ ସହ 25 ହଜାର ଫାଇନରେ ଦଣ୍ଡିତ କରିଛନ୍ତି କୋର୍ଟ । ଅନ୍ୟ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜାଫର ମସୁଦ, ମହମ୍ମଦ ଆସିଫ ଓ ଅବଦୁଲ ସାମି ରହିଛି ।
ଫେବୃଆରୀ 10 ରେ ଏହି ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟର ସ୍ବତନ୍ତ୍ର ବିଚାରପତି ଜଷ୍ଟିସ ସଞ୍ଜୟ ଖଙ୍ଗଓ୍ବାଲଙ୍କ ଦ୍ବାରା ହୋଇଥିଲା । ସାକ୍ଷ ପ୍ରମାଣ ଆଧାରରେ ଏହି ସମସ୍ତ 4 ଅଭିଯୁକ୍ତଙ୍କୁ ଆଇପିସି ଧାରା 18, 18-ବି ଓ (UAPA) ଅଧୀନରେ ଦୋଷୀ ସାବ୍ୟସ୍ତ କାରଯାଇଥିଲା । ଆଜି ସମସ୍ତଙ୍କୁ ସାଢେ 7 ବର୍ଷ ଦଣ୍ଡାଦେଶ ସହ ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ ।