ବେରୁଟ:ସେପ୍ଟେମ୍ବର 11ରେ ଆମେରିକାର ବିଶ୍ବ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣର 20 ତମ ବାର୍ଷିକୀ ପାଳନ ଅବସରରେ ନୂତନ ଭିଡିଓ ଜାରି କଲା ଆତଙ୍କୀ ସଂଗଠନର ‘ଅଲ-କାଏଦା’ର ମୁଖ୍ୟ ଆୟମାନ ଅଲ-ଜହ୍ବାରୀ । କିଛି ମାସ ପୂର୍ବେ ତାର ମୃତ୍ୟୁ ହୋଇଯାଇଥିବା ନେଇ ଖବର ପ୍ରସାରଣ ଚାଲିଥିବାବେଳେ ଏହକୁ ଗୁଜବ କହିବା ସହ ସେ ଜୀବିତ ଥିବା ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଛି ଆୟମାନ ଅଲ-ଜହ୍ବାରୀ ।
ଏପରି ଭିଡିଓ ଭାଇରାଲ ହେବା ପରେ ଆମେରିକା ସମେତ ବିଭିନ୍ନ ଦେଶର ଗୁଇନ୍ଦା ସଂସ୍ଥା ତତ୍ପର ହୋଇ ଉଠିଛନ୍ତି । ଆତଙ୍କୀ ସଂଗଠନର ୱେବ-ସାଇଟ୍ ଉପରେ ନଜର ରଖୁଥିବା ଇଣ୍ଟେଲିଜେନ୍ସି ଗ୍ରୁପ ଏହି ଭିଡିଓ ଶନିବାର ରିଲିଜ୍ ହୋଇଥିବା ସ୍ପଷ୍ଟ କରିଛି ।
ଭିଡିଓରେ ଅଲ-ଜାବାହାରୀ ଅଲ-କାଏଦା ସଂଗଠନର ଅନ୍ୟ ସଦ୍ୟସଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିବା ସହ ଜାନୁଆରୀରେ ଋଷ ସେନାର ଏକ ଟିମ ଉପରେ ସିରିଆରେ ହୋଇଥିବା ଆକ୍ରମଣକୁ ମଧ୍ୟ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ଗତମାସରେ ତାଲିବାନର ଆଫଗାନିସ୍ତାନ ଦଖଲ ପ୍ରସଙ୍ଗ ମଧ୍ୟ ସେ ଭିଡିଓରେ ଉଲ୍ଲେଖ କରିଥିବା ଦେଖିବାକୁ ମିଳିଛି ।
2020 ର ଶେଷବେଳକୁ ଆତଙ୍କାବାଦୀ ଅଲ-ଜବାହରୀ ଅସୁସ୍ଥ ହୋଇ ମୃତ୍ୟୁ ମୁଖରେ ପଡିଥିବା ନେଇ ଚର୍ଚ୍ଚା ହୋଇ ଆସୁଥିଲା । ତେବେ ଏପିର ଭିଡିଓ ସାମ୍ନାକୁ ଆସିବା ପରେ ଭିଡିଓର ସତ୍ୟତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭିଡିଓରେ ଥିବା ବ୍ୟକ୍ତି ଉକ୍ତ ଆତଙ୍କବାଦୀ ନା ଆଉ କେହି ତାକୁ ନେଇ ତଦନ୍ତ କରୁଛନ୍ତି ଗୁଇନ୍ଦା ସଂସ୍ଥା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ