ଲକ୍ଷ୍ନୌ:ଚାଷୀଙ୍କୁ ବିପୁଳ ପ୍ରତିଶ୍ରୁତି ଦେବା ସହ ବିଜେପିକୁ ପ୍ରଦେଶରୁ ହଟାଇବା ପାଇଁ ପ୍ରତିଜ୍ଞା କଲା ସମାଜବାଦୀ ପାର୍ଟି (ସପା) । ଆଜି ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅନ୍ନ ସଙ୍କଳ୍ପରେ ହାତରେ ଗହମ ଓ ଧାନ ଧରି ଏହି ସଙ୍କଳ୍ପ ନେଇଛନ୍ତି ସପା ମୁଖ୍ୟ ଅଖିଳେଶ ଯାଦବ । ବିଜେପିର ଚାଷୀ ମାରଣ ନୀତି ଓ କାର ଚଢାଇ ଚାଷୀଙ୍କୁ ହତ୍ୟା କରିଛି ବୋଲି ଦଳ ଅଭିଯୋଗ କରିବା ସହ ଚାଷୀମାନେ ବିଜେପିକୁ ରାଜ୍ୟ କ୍ଷମତାରୁ ହଟାଇବେ ବୋଲି କହିଛନ୍ତି ଅଖିଳେଶ । ସେହିପରି ସାରା ଦେଶରେ ଲାଗି ରହିଥିବା ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଦାବିକୁ ନେଇ ରାଜ୍ୟର ଚାଷୀଙ୍କୁ ବଡ ପ୍ରତିଶ୍ରତି ମଧ୍ୟ ଦେଇଛନ୍ତି ଅଖିଳେଶ ।
ଆଜିର କାର୍ଯ୍ୟକ୍ରମରେ ହାତରେ ଶସ୍ଯ ଧରି ପାର୍ଟି ମୁଖ୍ୟ ଅଖିଳେଶ କହିଛନ୍ତି, ଯଦି ରାଜ୍ୟରେ ତାଙ୍କ ଦଳ ସମାଜବାଦୀ ପାର୍ଟି କ୍ଷମତାକୁ ଆସେ, ତେବେ ସମସ୍ତ ଶସ୍ୟ ପାଇଁ ସର୍ବନିମ୍ନ ସାହୟକ ମୂଲ୍ୟ (MSP) ଲାଗୁ କରାଯିବ । କେବଳ ଏତିକି ନୁହେଁ ଯଦି ଆବଶ୍ୟକ ପଡେ ଆଖୁ ଚାଷୀଙ୍କୁ ୧୫ ଦିନ ମଧ୍ୟରେ ଏହି MSP ରାଶି ପ୍ରଦାନ କରାଯାଇପାରେ । ସେହିଭଳି ଚାଷୀଙ୍କୁ ଜଳ ସେଚନ ପାଇଁ 300 ୟୁନିଟ୍ ପର୍ଯ୍ୟାନ୍ତ ମାଗଣା ବିଦ୍ୟୁତ୍ ମଧ୍ୟ ଉପଲବ୍ଧ କରାଇବ ତାଙ୍କ ସରକାର । ସେ ଆହୁରି କହିଛନ୍ତି, ଚାଷୀଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରାଯିବା ସହ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ପ୍ରତ୍ୟେକ ଚାଷୀଙ୍କ ପରିବାରକୁ 25 ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ମଧ୍ୟ ପ୍ରଦାନ କରିବ ତାଙ୍କ ସରକାର ।