ଲକ୍ଷ୍ନୌ:ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବଡ ଘୋଷଣା କରିଛନ୍ତି(Akhilesh Yadav to contest Lok Sabha polls from Kannauj) । ସେ କନୌଜ ଆସନରୁ ଲୋକସଭା ନିର୍ବାଚନ ଲଢିବେ ବୋଲି ଜଣାଇଛନ୍ତି । ଏହି ଆସନକୁ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ସପା ମୁଖ୍ୟ କହିଛନ୍ତି, ''ଯଦି ଖାଲିରେ ବସିବି ମୁଁ ଆଉ କ'ଣ କରିବି । ମୁଁ ନିର୍ବାଚନ ଲଢିବି । ଆମ କାମ ହେଲା ନିର୍ବାଚନ ଲଢିବା । ପ୍ରଥମ ଥର ଯେଉଁଠାରୁ ମୁଁ ନିର୍ବାଚନ ଲଢିଥିଲି ସେଠାରୁ ହିଁ ପ୍ରତିଦ୍ବନ୍ଦିତା କରିବି ।'' ଅର୍ଥାତ୍ ଅଖିଳେଶ କନୌଜରୁ ପ୍ରାର୍ଥୀ ହେବେ ବୋଲି ଇଙ୍ଗିତ କରିଛନ୍ତି । ତେବେ ନିର୍ବାଚନରେ କ'ଣ କରିବାକୁ ହେବ ତାହା ଦଳ ନିଷ୍ପତ୍ତି ନେବେ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।
ପ୍ରକାଶଥାଉ କି, ଅଖିଳେଶ ଯାଦବ କନୌଜ ଲୋକସଭା ଆସନରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ୨୦୦୦ ମସିହା ଉପନିର୍ବାଚନରେ ସେ ଏଠାରୁ ସାଂସଦ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୪ରେ ଦ୍ବିତୀୟ ଥର ଓ ୨୦୦୯ରେ ତୃତୀୟ ଥର ଏହି ଲୋକସଭା ଆସନରେ ଜିତି ସାଂସଦ ହୋଇଥିଲେ । ହେଲେ ୨୦୧୨ରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାରୁ ତାଙ୍କୁ କନୌଜ ଆସନରୁ ଇସ୍ତଫା ଦେବାକୁ ପଡିଥିଲା । ଏହାପରେ ୨୦୧୨ରେ ଅଖିଳେଶଙ୍କ ପତ୍ନୀ ଡିମ୍ପଲ ଏଠାରେ ସାଂସଦ ହୋଇଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ବିଜେପି ସପା ହାତରୁ ଏହି ଆସନ ଛଡାଇ ନେଇଥିଲା । ବିଜେପି ନେତା ସୁବ୍ରତ ପାଠକ ଡିମ୍ପଲଙ୍କୁ ୧୨,୩୫୩ ଭୋଟରେ ହରାଇ ଏଠାରେ ସାଂସଦ ହୋଇଥିଲେ ।