ଲକ୍ଷ୍ନୌ:ସମାଜବାଦୀ ପାର୍ଟି (SP) ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶରେ କ୍ଷମତାକୁ ଫେରିବା ଏବଂ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଦିବାସ୍ବପ୍ନ ଦେଖୁଛନ୍ତି । ଆଜି ଏପରି ଢଙ୍ଗରେ ଅଖିଲେଶଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଉତ୍ତର ପ୍ରଦେଶର ଜାଲାଉନର ଓରାଇ ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଶାହ 'ଜନ ବିଶ୍ୱସ ଯାତ୍ରା'ର ଜନ ସମାବେଶକୁ ସମ୍ବୋଧିତ କରିବା ଅବସରରେ ଏପରି ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି ।
ଶାହା କହିଛନ୍ତି, ସମାଜବାଦୀ ପାର୍ଟି ସ୍ୱପ୍ନ ଦେଖୁଛି ଯେ, ସେ ପୁଣିଥରେ ଉତ୍ତର ପ୍ରଦେଶରେ କ୍ଷମତାକୁ ଆସିବ ଏବଂ ସେମାନେ ରାମ ଜନ୍ମଭୂମିରେ ଚାଲିଥିବା ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାର ପ୍ରୟାସରେ ଲାଗି ପଡିବେ । ତେବେ ଅଖିଳେଶ ଯାଦବ ଓ ତାଙ୍କ ଦଳ ଜାଣି ରଖିବା ଉଚିତ ଯେ, ରାମ ମନ୍ଦିରର ନିର୍ମାଣ କେହି ବି ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ଶାହ ।
ଶାହା ଆହୁରି ଅଭିଯୋଗ କରିଛନ୍ତି ଯେ,ଏସପି (SP) ଏବଂ ବହୁଜନ ସମାଜ ପାର୍ଟି (BSP) ଉଭୟ ହେଉଛନ୍ତି ଜାତିଭିତ୍ତିକ ଦଳ ଏବଂ ଏସପି ସରକାରଙ୍କ ଅଧୀନରେ ପରିବାରବାଦ, ପକ୍ଷପାତ ଓ ପଳାୟନ ରହିଛି, ଯାହା ସମ୍ପୂର୍ଣ୍ଣ ସ୍ପଷ୍ଟ ଦୃଶ୍ୟମାନ ବୋଲି କହିଛନ୍ତି ଶାହ । ଶାହା କହିଛନ୍ତି, ଯୋଗୀ ସରକାର 86 ଲକ୍ଷ କୃଷକଙ୍କ 36,000 କୋଟି ଟଙ୍କାର ଋଣ ଛାଡ କରିଛନ୍ତି । ବିଜେପି ଶାସନରେ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟରେ ପାଞ୍ଚଟି ଏକ୍ସପ୍ରେସୱେ ନିର୍ମାଣ ହୋଇଛି । ରାଜ୍ୟରେ 70 ବର୍ଷରେ କେବଳ 12 ଟି ମେଡିକାଲ କଲେଜ ଥିବା ବେଳେ ଗତ ପାଞ୍ଚ ବର୍ଷ ମଧ୍ୟରେ ବିଜେପି ସରକାରରେ 30 ଟି ମେଡିକାଲ୍ କଲେଜ ନିର୍ମାଣ ହେବା ସମ୍ଭବପର ହୋଇଛି । ପୂର୍ବରୁ ମେଡିକାଲ କଲେଜରେ ମୋଟ ମାତ୍ର 1,900 ଟି ସିଟ୍ ଥିବାବେଳେ ବର୍ତ୍ତମାନ ଏହା 3,800କୁ ବୃଦ୍ଧି ହେବାରେ ସଫଳ ହୋଇଛି । ତେବେ ଏସବୁ କେବଳ ବିଜେପି ପାଇଁ ସମ୍ଭବ ହୋଇପାରିଛି ଏବଂ ବିଜେପି ଏକ ଦଳ ଯାହା ବିକାଶ ପାଇଁ କାମ କରେ ବୋଲି କହିଛନ୍ତି ଶାହ ।