ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀଙ୍କ ବଂଶବାଦ ରାଜନୀତି ମନ୍ତବ୍ୟରେ କାଉଣ୍ଟର ଆଟାକ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଅଖିଳେଶ ପ୍ରଧାନମନ୍ତ୍ରୀଙ୍କୁ ଇଙ୍ଗୀତ କରି କହିଛନ୍ତି, ଯେଉଁମାନଙ୍କର ପରିବାର ନାହିଁ ସେମାନେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଓ ଯନ୍ତ୍ରଣା ଅନୁଭବ କରିପାରିବେ ନାହିଁ । ତାଙ୍କର ପରିବାର ଥିବାରୁ ସେ ଗର୍ବିତ । ପିରବାର ଥିବାରୁ ସେ ପରିବାର ଛାଡି ଝୋଲା ଧରି ପଳାଇ ଯାଇପାରିବେ ନାହିଁ । ଆଜି ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ANI କୁ ପ୍ରତିକ୍ରିୟା ଦେଇ ଅଖିଳେଶ ଏପରି ଭାବେ ପ୍ରଧାନମନ୍ତ୍ରୀଙ୍କୁ ପରୋକ୍ଷ କଟାକ୍ଷ କରିଛନ୍ତି ।
ଅଖିଳେଶ କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀଙ୍କ ପରିବାର ଥାଆନ୍ତା, ତେବେ ସେ ପ୍ରଥମ ଲହର ସମୟରେ କେନ୍ଦ୍ର ସରକାର ଘୋଷଣା କରିଥିବା ଲକଡାଉନରେ ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା ଅନୁଭବ କରିପାରିଥାନ୍ତା । ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନେ ନିଜ ଘରେ ପହଞ୍ଚିବା ପାଇଁ ଶହଶହ ମାଇଲ ପାଦରେ ଚାଲିବାକୁ ବାଧ୍ୟ ହେଲେ । ଅନେକ ୟନ୍ତ୍ରଣା ସହିଲେ, କିନ୍ତୁ ପରିବାର ନଥିବା ଲୋକଙ୍କୁ ସେ ଯନ୍ତ୍ରଣା ଅନୁଭବ ହେଲା ନାହିଁ ।
ତେବେ ଚଳିତ ନିର୍ବାଚନରେ ବିଜେପି ଡବଲ ଇଞ୍ଜିନ ସରକାରର ବିକାଶ ଧାରା କଥା କହି ଭୋଟ ମାଗୁଥିବା ବେଳେ ଏହାକୁ ମଧ୍ୟ କଟାକ୍ଷ କରିଛନ୍ତି ଅଖିଳେଶ । ସପା ମୁଖ୍ୟ କହିଛନ୍ତି ନିର୍ବାଚନ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଗୋଟିଏ ପ୍ରକ୍ରିୟା । ବିଜେପି ବାରମ୍ବାର ଡବଲ ଇଞ୍ଜିନ ସରକାର କଥା କହୁଥିବା ବେଳେ ରାଜ୍ୟରେ ଯୋଗୀ ସରକାରଙ୍କ ଅମଳରେ ଦୂର୍ନୀତି କମିବା ବଦଳରେ ବଢିଛି । ଯାହାର ଅର୍ଥ ହେଉଛି କେନ୍ଦ୍ର ଓ ରାଜ୍ୟରେ ଡବଲ ବିଜେପି ସରକାର ମାନେ ଡବଲ ଦୁର୍ନୀତି ।